ନୂଆପଡା– ରାଜ୍ୟ ସରକାର ପ୍ରତି ବର୍ଷର ଜୁଲାଇ ମାସର ୧ ତାରିଖରୁ କୃଷିବୀମା ସକାଶେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ କରୁଥିବା ବେଳେ ଚଳିତ ବର୍ଷ କେବେ ଠାରୁ ଏହି ବୀମା ଆବେଦନ କରାଯିବ ତାହା ଜଣାପଡିନାହିଁ । ଜୁଲାଇ ମାସ ଶେଷ ହେବାକୁ ବସିଥିବା ବେଳେ କୃଷିବୀମା ଆବେଦନ କରାଯାଉନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟବର୍ଷ ମାନଙ୍କରେ ଜୁଲାଇ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବୀମା ଆବେଦନ ଧାର୍ଯ୍ୟ କରାଯାଇଥାଏ । କିନ୍ତୁ କୌଣସି କାରଣ ବସତଃ କମ ସଂଖ୍ୟକ ଚାଷୀ ଆବେଦନ କରିଥିଲେ ପୁଣି ଆବେଦନ ତାରିଖ ବୃଦ୍ଧି କରାଯାଇ ତାହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କରାଯାଏ । କିନ୍ତୁ ଚଳିତ ବର୍ଷ ଏହାର ଖୋଜଖବର ନାହିଁ । ଫଳରେ ବୀମା ଆବେଦନ କରିବାକୁ ଆଗ୍ରହୀ ଥିବା ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଜିଲ୍ଲାର ଅଧିକାଂଶ ଚାଷୀ କୃଷୀବୀମା ପ୍ରତି ଆଗ୍ରହୀ ନଥିବା ବେଳେ କିଛି ଚାଷୀ ବୀମା କରିବାକୁ ଆଗ୍ରହୀ ରହିଥିବା ସୂଚନା ମିଳିଛି । ବୀମା କମ୍ପାନୀ ଏବଂ ସରକାରୀ ଅଧିକାରୀ ମାନଙ୍କ ସଲାସୁତୁରା ଯୋଗୁଁ ଅନେକ ବର୍ଷ ନୂଆପଡା ଜିଲ୍ଲାର ଚାଷୀ ମାନେ ମରୁଡି ସତ୍ୱେ ବୀମା ରାଶି ପାଉନଥିବା ଦେଖିବାକୁ ମିଳିଛି । ତଥାପି କିଛି ଚାଷୀ ଚାଷର କ୍ଷତିକୁ ଦେଖି ବୀମା କରି ସେମାନଙ୍କ ଆର୍ଥୀକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରି ବୀମା କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଜଣାପଡିଛି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ବୀମା ଆବେଦନ ସକାଶେ ଅତିଶିଘ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ସାଧାରଣର ଦାବୀ ହେଉଛି । ଏନେଇ ଜିଲ୍ଲା କୃଷୀ ଅଧିକାରୀ ନରୋତମ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ବୀମା କମ୍ପାନୀ ଠିକ ହୋଇନଥିବାରୁ ବୀମା କରାଯାଉନଥିବା ପ୍ରକାଶ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ହେମନ୍ତ/ଭାନୁ