ବ୍ରହ୍ମପୁର: ଏଣିକି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର କୌଣସି ରୋଗୀ ଚିକିତ୍ସା ପାଇଁ ଭୁବନେଶ୍ୱର ଗଲେ ଏଣିକି ଆଉ ଅସୁବିଧା ହେବନାହିଁ । ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରୁନଥିବା କଥା ଆଉ ଏଣିକି ହେବନାହିଁ । ଏଭଳିସ୍ଥିତି ଉପୁଜିଲେ ବା ଚିକିତ୍ସାରେ ଅବହେଳା ହେଲେ ୧୦୦କୁ ଡାଏଲ କରି ରୋଗୀ ତଥା ରୋଗୀ ସମ୍ପର୍କୀୟ ନିଜର ଅଭିଯୋଗ କରିପାରିବେ । କରୋନା ସମୟରେ ଏହା ବେଆଇନ୍ । ଏହିଭଳି ଅଭିଯୋଗ ଆସିଲେ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ଯାଞ୍ଚ ମହାନଗର ନିଗମର ୪୦ଟି ୱାର୍ଡରେ ଚାଲିଛି । ଅଦ୍ୟାବଧି ୭୨୫୬୪ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ସେଥିରୁ ୮୬୪୬ଜଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ନିଗମ ପକ୍ଷରୁ ୧୧୫ଟି କୋଭିଡ୍ ମନିଟର ରହିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ଖବର ଆସିଲେ ସେମାନଙ୍କ ଘରେ ଏହି ଟିମ୍ ପହଞ୍ôଚ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । କୋଭିଡ୍ ମନିଟରଙ୍କ କାର୍ଯ୍ୟ ତଦାରଖ ପାଇଁ ୩୭ଜଣ ସୁପରଭାଇଜର ରହିଛନ୍ତି । ସେମାନଙ୍କ କାର୍ଯ୍ୟ ଓ ସେବା ପ୍ରଦାନ ବିଷୟରେ ଲୋକଙ୍କୁ ବୁଝିବା ପାଇଁ ୧୨ଜଣ ସ୍ୱେଚ୍ଛାସେବୀ ରହିଛନ୍ତି । ଏଭଳି ଭାବେ ସହରରେ ତ୍ରିସ୍ତରୀୟ ଭାବେ କୋଭିଡ୍ ପରିଚାଳନା କରାଯିବ । ଏମ୍କେସିଜିରେ ଟେଲି ମେଡିସେନି ସେବା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ସିଟି ହସ୍ପିଟାଲରେ ଆରମ୍ଭ ହେବାକୁ ଯାଉଛି । ଏଥିସହ କିଛି ଘରୋଇ ଡାକ୍ତରଙ୍କୁ ପେଇଡ୍ ଟେଲି ମେଡିସିନ ସେବା ମଧ୍ୟ ଯୋଗାଇବେ ବୋଲି ବିଏମ୍ସି କମିଶନର ସୂଚନା ଦେଇଛନ୍ତି । ବିଏମ୍ସି ଓ ବ୍ରହ୍ମପୁର ଉପଖଣ୍ଡସ୍ତରୀୟ କୋଭିଡ୍-୧୯ କାର୍ଯ୍ୟନେଇ କମିଶନର ଓ ଉପଜିଲ୍ଲାପାଳଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ମର୍ମରେ ବ୍ରହ୍ମପୁର ଉପଖଣ୍ଡରେ ଥିବା ୧୨୩ଟି ରେଡ୍ ଜୋନ୍ ଗ୍ରାମରେ ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୧୯ଟି ଟିମ୍ କାର୍ଯ୍ୟ କରୁଛନ୍ତି । ଏହି ଟିମ୍ ଶନିବାର ପାତ୍ରପୁର ବ୍ଲକ୍କୁ ଛାଡି ଅନ୍ୟ ୫ଟି ବ୍ଲକ୍ରେ ସ୍କ୍ରିନିଂ ଓ ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ଟିମ୍ରେ ନୋଡାଲ ଅଫିସ୍ର, କୋଭିଡ୍ ମନିଟର, ଡାକ୍ତର, ଆଶା, ଅଙ୍ଗନୱାଡ଼ି କର୍ମୀ ରହିଛନ୍ତି । ପ୍ରତ୍ୟେକ ଦିନ ଗୋଟିଏ ଟିମ୍ ଗୋଟିଏ ଗ୍ରାମରେ ସ୍ୱାସ୍ଥ୍ୟଯାଞ୍ଚ କରିବେ ଓ ପ୍ରାୟତଃ ୫ଦିନ ଭିତରେ ସମସ୍ତ ରେଡ୍ଜୋନ୍ ଗ୍ରାମରେ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଶେଷହେବ ବୋଲି ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ସୂଚନା ଦେଇଛନ୍ତି । ଏଥିସହ ଯେଉଁ ସଂକ୍ରମିତ ବ୍ୟକ୍ତି କୋଭିଡ୍ କେୟାର ସେଣ୍ଟର ବା ଚିକିତ୍ସାଳୟରେ ରହୁଛନ୍ତି ତାହାକୁ ନିଜର ଭାବି ରହିବା ଆବଶ୍ୟକ । ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଅନୁଚିତ । ଯାହାଫଳରେ ପରବର୍ତ୍ତୀ ସମୟରେ ଆସୁଥିବା ବ୍ୟକ୍ତି ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଉପଜିଲ୍ଲାପାଳ କହିଥିଲେ । ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲର ଅତିରିକ୍ତ ଅଧିକ୍ଷକ ଡା. କିରଣ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ଗୋଷ୍ଠୀ ସଂକ୍ରମଣ ଦୃଷ୍ଟିରୁ ଓପିଡି ବନ୍ଦ କରାଯାଇଥିବା ବେଳେ ବିଭିନ୍ନ ରୋଗର ଚିକିତ୍ସା କରାଯାଉଛି । ଜରୁରୀକାଳୀନ ରୋଗୀସେବା, ଜରୁରୀ ସର୍ଜରୀ, ହୃଦରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, କୁକୁର, ସାପ କାମୁଡା, ଶିଶୁୂରୋଗ, ଡାଇଲସିସ, ରକ୍ତସେବା, ମାନସିକ ରୋଗୀ ଆଦି ଚିକିତ୍ସା ଚାଲୁ ରହିଛି । ଏଥିସହ ଟେଲି ମେଡିସିନ ପାଇଁ ପୂର୍ବରୁ ୨ଟି ନମ୍ବର ଯଥା ୮୨୬୦୭୨୭୧୭୧ ଓ ୭୦୬୪୫୮୮୦୭୦ ରହିଥିବା ବେଳେ ପୁଣି ୪ଟି ନମ୍ବର ୭୮୧୫୦୭୪୧୪୪, ୭୮୧୫୦୭୦୦୯୮, ୭୮୧୫୦୬୩୪୩୬ ଓ ୭୮୧୫୦୭୬୬୧୩ ଜରିଆରେ ସେବା ଯୋଗାଇ ଦିଆଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏମ୍କେସିଜି ମେଡିକାଲ୍ କଲେଜ ଅଧିକ୍ଷକ ଡା. ସନ୍ତୋଷ କୁମାର ମିଶ୍ର, ଅଧ୍ୟକ୍ଷା ତଥା ଡିନ୍ ପ୍ରଫେସର ଦିପ୍ତୀମୟୀ ତ୍ରିପାଠୀ, ପ୍ରଶାସନିକ ଅଧିକାରୀ ସଚିଦାନନ୍ଦ ନାୟକଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉମାଶଙ୍କର ମିଶ୍ର ଉପସ୍ଥିତ ଥିଲେ ।