
କେନ୍ଦୁଝର– କେନ୍ଦୁଝର ଭଳିି ଏକ ଧନୀ ଜିଲ୍ଲାର ସ୍ଥିତି ଅତି ସଙ୍ଗୀନ । ରାଜକୋଷକୁ ସମୃଦ୍ଧ କରିବାର ଏହି କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ଭୂମିକା ରହିଛି । ଜିଲ୍ଲାର ମୂଲ୍ୟବାନ ଖଣିଜ ସମ୍ପଦକୁ ଲିଜ୍ ସୂତ୍ରରେ ନେଇ ଲକ୍ଷପତି ଲିଜଧାରୀ କୋଟିପତି ହେଉଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କର ରାଜସ୍ୱ ଭରୁଛନ୍ତି । କିନ୍ତୁ ଜିଲ୍ଲାର ସେହି ଆଦିମ ଅଧିବାସୀ ଆଦିବାସୀ ପ୍ରଜା ଆଜି କେବଳ ଅବହେଳିତ ନୁହଁନ୍ତି ନିସହାୟ ମଧ୍ୟ । ତାଙ୍କ ଦୁଃଖ ଶୁଣିବାକୁ ଅଫିସର ବାବୁ ମାନଙ୍କର ଆଗ୍ରହ ନାହିଁ । ସରକାର ସେହି ବର୍ଗର ଅବହେଳିତ ପ୍ରଜା ମାନଙ୍କୁ ଆର୍ଥିକ, ସାମାଜିକ, ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ଯୋଜନା ଉପରେ ଯୋଜନା କରୁଛନ୍ତି ସତ କିନ୍ତୁ ଅନେକ କ୍ଷେତ୍ରରେ ସେସବୁ ସୁବିଧା ସୁଯୋଗ ପ୍ରକୃତ ହିତିଧିକାରୀଙ୍କ ନିକଟରେ ପହଂଚି ପାରୁନାହିଁ । ଫଳରେ ସେମାନଙ୍କ ଉନ୍ନତି ଧୂଆଁବାଣ ସଦୃଶ୍ୟ ହୋଇପଡିଛି । ସରକାରୀ ଯୋଜନା ଏଠି ଯେଭଳି ବାଟବଣା ହୋଇ ପଡିଛି । ଯାହାକି ଜିଲ୍ଲାର ଭାତହାଣ୍ଡିରୁ ଗୋଟିଏ ହେଉଛି ଚମ୍ପୁଆ ଅଂଚଳର ଆଦିବାସୀ ପ୍ରଜା ଟୁଟୁନା ମୁଣ୍ଡା ଓ ଶ୍ରୀକାନ୍ତ ମୁଣ୍ଡା । ଯେଉଁମାନେ ଏହି ଧନୀ ଜିଲ୍ଲାର ଗରୀବ ପ୍ରଜା । ଏହି ଧନୀ ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡନଇଁ ଗ୍ରାମପଚାଂୟତର ଇଚିଣ୍ଡା ଗ୍ରାମର ଡମ୍ବରୁ ମୁଣ୍ଡାଙ୍କର ୧୨ ବର୍ଷର ପୁଅ ଟୁଟୁନା ମୁଣ୍ଡା । ନିରାଶ୍ରୟ ଟୁଟୁନା ଏବେ ତାର କାକା କାନ୍ଧରେ ବୋଝ ହୋଇଛି । ଗତ ୫ ବର୍ଷ ତଳର କଥା ବାପା ମାଙ୍କ ସହ ସୁଖରେ ଚାଲିଥିବା ତାଙ୍କ ସଂସାର ଉପରେ ଆସିଲା ଝଡ଼ । ବାପା ଡମ୍ବରୁ ମୁଣ୍ଡା ଶାରୀରିକ ଅସୁସ୍ଥତା କାରଣରୁ ମୃତ୍ୟୁ ସହ ଯୁଦ୍ଧ କରୁ କରୁ ହାରିଗଲା । ବାପ ଡମ୍ବରୁ ମୃତ୍ୟୁବରଣ କରିବାର ପ୍ରାୟ ୧ ବର୍ଷ ପରେ ସ୍ତ୍ରୀ ମିନତି ମୁଣ୍ଡା ଘର ଛାଡି କୁଆଡେ ଚାଲିଗଲେ ଯେ ଆଉ ଫେରିଲେନି । ଘରେ ଅସହାୟ ଅବସ୍ଥାରେ ରହିଗଲା ୧୨ ବର୍ଷ ବୟସର ଏକ ମାତ୍ର ଟୁଟୁନା । ଟୁଟୁନାର ଅନ୍ୟ କକାମାନେ ରହିଥିଲେ ମଧ୍ୟ କକା ଶ୍ରୀକାନ୍ତ ମୁଣ୍ଡା ଟୁଟୁନା ମୁଣ୍ଡାର ସବୁ ଦାୟିତ୍ୱ ନିଜ କାନ୍ଧ ଉପରକୁ ନେଲେ ।
ଏମାନେ ସମସ୍ତେ ହୋ’ ଆଦିବାସୀ ମୁଣ୍ଡା ପରିବାରର ଅଟନ୍ତି । କିନ୍ତୁ ସେମାନଙ୍କର ଅଭିଯୋଗ ହେଉଛି ଯେ ଏହି ଗରୀବ ଗୁରୁବାଙ୍କ କଥା ବାବୁମାନେ କେହି ଶୁଣନ୍ତି ନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବାରୁ ନିଜସ୍ୱ ଉଦ୍ୟମରେ ନିର୍ମାଣ କରିଥିବା ମାତ୍ର ଗୋଟିଏ ଝାଟିମାଟି ବଖରା ଘରେ କଷ୍ଟ ମଷ୍ଟେ ପରିବାର ବାସ କରୁଛନ୍ତି । ସରକାରୀ ବାବୁ ମାନଙ୍କର କୃପାଦୃଷ୍ଟି ପଡି ନଥିବାରୁ ଏମାନେ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଆଦି ଯୋଜନାରୁ ବଂଚିତ ଅଛନ୍ତି । ପଚାଂୟତ କର୍ତୃପକ୍ଷ କେବଳ ଦେବେ ଦେବେ ବୋଲି କହୁଛନ୍ତି ସତ କିନ୍ତୁ ଦେଉ ନାହାଁନ୍ତି । ଏପରିକି ପ୍ରଥମେ ନିଅଁ ଖୋଳ , ଘର ଦେବୁ ବୋଲି କହୁଛନ୍ତି , ନିଅଁ ଖୋଳିବା ପରେ ମଧ୍ୟ ଦେଉ ନାହାଁନ୍ତି । ଏପଟେ ଆଦିବାସୀ ବାଳକ ଟୁଟୁନା ଉଚ୍ଚ ଶିକ୍ଷା ଗ୍ରହଣ କରିବା ଦିଗରେ ବେଶ୍ ଆଗ୍ରହୀ ଥିଲେ ମଧ୍ୟ ସେଥିରେ ବି ସମସ୍ୟା ଉପୁଜୁଛି । ସମ୍ପୂର୍ଣ୍ଣ ଗରୀବ ଏହି ଆଦିବାସୀ ପରିବାର ପାଖରେ ଉଚ୍ଚ ଶିକ୍ଷାପାଇଁ ସାମର୍ଥ୍ୟ ନାହିଁ । ଯେଉଁଥିପାଇଁ ଉଚ୍ଚଶିକ୍ଷା ଇଚ୍ଛା ତାର ଦିନକୁ ଦିନ ମଉଳିବାରେ ଲାଗିଛି । ସ୍ୱଳ୍ପ ବ୍ୟୟ ଆବାସ ଛାତ୍ରାବାସରେ ୫ମ ଶ୍ରେଣୀ ଶିକ୍ଷା ସମାପ୍ତ ହୋଇଛି । ମାତ୍ର ଉଚ୍ଚ ବିଦ୍ୟାଳୟ ଶିକ୍ଷା ନିମନ୍ତେ ପଚାଂୟତରେ ବ୍ୟବସ୍ଥା ନଥିବା ଯୋଗୁଁ ଟୁଟୁନାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଏ ଦିଗରେ ବିଭାଗୀୟ ପଦାଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଅନୁରୋଧ ହୋଇଛି । ଖଣି ପ୍ରଭାବିତ ଅଂଚଳର ବିକାଶ ଉଦ୍ଦେଶ୍ୟରେ ଖଣିଜ ପ୍ରତିଷ୍ଠାନ ମାନ ପ୍ରତିଷ୍ଠା ହୋଇଛି । ତାହାର ମଧ୍ୟ ଉପଯୁକ୍ତ ବିନିଯୋଗ ଉପରେ ଜିଲ୍ଲା ପ୍ରଶାସନ କର୍ତୃପକ୍ଷ ଉଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯଦ୍ୱାରା ଟୁଟୁନା ମୁଣ୍ଡା ଭଳି ବାଳକ ଉପକୃତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।