ନୂଆଦିଲ୍ଲୀ– ଭାରତ 2019-20 ଆର୍ଥିକ ବର୍ଷରେ 2757.90 କୋଟି ଟଙ୍କାର କତା ଓ ଅନ୍ୟାନ୍ୟ କତା ଜାତୀୟ ସାମଗ୍ରୀ ରପ୍ତାନୀ କରି ଏକ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି । 2018-19 ବର୍ଷ ତୁଳନାରେ ଏହି ରପ୍ତାନୀ ପରିମାଣ 30 କୋଟି ଟଙ୍କା ଅଧିକ । 2019-20ରେ ଭାରତ 9,88,996 ମେଟ୍ରିକ ଟନ କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କରିଥିବାବେଳେ ପୂର୍ବବର୍ଷ ଏହି ରପ୍ତାନୀ ପରିମାଣ ଥିଲା 9,64,046 ମେଟ୍ରିକ ଟନ । ଏହି ରପ୍ତାନୀ ସାମଗ୍ରୀ ମଧ୍ୟରେ କତାଗୁଣ୍ଡ, କତା ଗାଲିଚା, କତାରେ ତିଆରି ଜିଓ ଟେକ୍ସଟାଇଲ, ଦଉଡି, ପାୱାରଲୁମ୍, ହ୍ୟାଣ୍ଡଲୁମ୍ ମ୍ୟାଟ୍ ଓ ପା’ପୋଛ ଆଦି ଅନ୍ତର୍ଭୁକ୍ତ । ଏହି ରପ୍ତାନୀ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ରେକର୍ଡ ଛୁଇଁଛି ଏବଂ ଏଥିରେ ଭଲ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ହ୍ୟାଣ୍ଡଲୁମ୍ ମ୍ୟାଟ, କତା ଦଉଡି, ରବର ମିଶ୍ରିତ କତାଗୁଣ୍ଡ ଏବଂ ପାୱାରଲୁମ୍ ମ୍ୟାଟ୍ ଆଦିର ରପ୍ତାନୀ ପରିମାଣ କମିଥିଲେ ମଧ୍ୟ ମୂଲ୍ୟ ଦୃଷ୍ଟିରୁ ଏ ବାବଦ ଆୟ ବଢିଛି ।
- କେବଳ କତା ଗୁଣ୍ଡରୁ 1349.63 କୋଟି ଟଙ୍କା ଆୟ ହୋଇଥିବାବେଳେ ଏହା ମୋଟ କତା ଜାତୀୟ ସାମଗ୍ରୀ ରପ୍ତାନୀର 49 ଭାଗ ।
- କତା ତନ୍ତୁର ରପ୍ତାନୀ ପରିମାଣ ମୋଟ ରପ୍ତାନୀର 18 ଶତାଂଶ ହୋଇଥିବାବେଳେ ଏ ବାବଦରେ ଆୟ ହୋଇଛି 498.43 କୋଟି ଟଙ୍କା ।
- ଏହି ରପ୍ତାନୀରେ ମୂଲ୍ୟ ମିଶ୍ରିତ ସାମଗ୍ରୀର ଅଂଶ ମୋଟ ରପ୍ତାନୀର 33 ଭାଗ ।
- ମୂଲ୍ୟ ମିଶ୍ରିତ ସାମଗ୍ରୀ ମଧ୍ୟରେ ଟପ୍ଟେଡ ମ୍ୟାଟ୍ର ରପ୍ତାନୀ ସର୍ବାଧିକ ହୋଇଥିବାବେଳେ ଆୟ ଅନୁସାରେ ଏହା 20 ଶତାଂଶ ।
- ଏହି ଏକ ବର୍ଷ ମଧ୍ୟରେ କତା ଓ କତା ଜାତୀୟ ସାମଗ୍ରୀରେ ରପ୍ତାନୀରେ କୌଣସି ହ୍ରାସ ଘଟିନାହିଁ । ଏହାର ଅର୍ଥ ଏସବୁ ସାମଗ୍ରୀର ବିଦେଶୀ ବଜାର ଠିକ୍ଠାକ୍ ଅଛି ଏବଂ ଭାରତୀୟ ରପ୍ତାନୀକାରୀ ଓ ଉଦ୍ୟୋଗୀ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।
- କତା ଓ କତା ଜାତୀୟ ଦ୍ରବ୍ୟର ଘରୋଇ ବଜାର ମଧ୍ୟ ଭଲ ରହିଛି ଏବଂ ଏହା କ୍ରମଶଃ ବଢୁଛି ।
ଦେଶର ବିଭିନ୍ନ ବନ୍ଦର ମାଧ୍ୟମରେ ଏସବୁ ସାମଗ୍ରୀର 99 ଶତାଂଶ ରପ୍ତାନୀ କରାଯାଇଛି । ଅଧିକାଂଶ ରପ୍ତାନୀ ଟୁଟିକୋରିନ୍, କୋଚିନ ଓ ଚେନ୍ନଇ ବନ୍ଦର ଦେଇ ହୋଇଛି । ଏହାଛଡା ବିଶାଖାପାଟଣା, ମୁମ୍ବଇ, କଲକାତା ବନ୍ଦର ଦେଇ ମଧ୍ୟ ଏହିସବୁ ସାମଗ୍ରୀ ରପ୍ତାନୀ କରାଯାଉଛି । କିଛି କତା ଓ କତା ଜାତୀୟ ସାମଗ୍ରୀ ମଧ୍ୟ କନ୍ନୁର, କୋଏମ୍ବାଟୁର ଏବଂ ରେକ୍ସୁଆଲରୁ ସଡକପଥରେ କେତେକ ପଡୋଶୀ ଦେଶକୁ ପଠାଯାଉଛି ।