
-
୧୫ଦିନରେ ୩୩ ମୃତ, ୩୨୫୧ ସଂକ୍ରମିତ
-
ଆଜି ପୁଣି ୨ ମୃତ, ୨୮୬ ଜଣ ସଂକ୍ରମିତ
-
ଦିନକରେ ୨୭୦ ଜଣ ସୁସ୍ଥ ହେଲେ
ବ୍ରହ୍ମପୁର: ଗଞ୍ଜାମରେ କରୋନା ତାର କରାଳ ରୂପ ଦେଖାଇବାରେ ଲାଗିଛି । ମୃତ ଓ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ ଜନସାଧାରଣ ଭୟଭୀତରେ ଅଛନ୍ତି । ଗତ ୬ତାରିଖ ଠାରୁ ପ୍ରତ୍ୟହ ୨୦୦ରୁ ଊର୍ଦ୍ଧ୍ୱ ନୂଆ କରୋନା ପଜେଟିଭ ଜିଲ୍ଲାରେ ଚିହ୍ନଟ ହେଉଛନ୍ତି । ଜିଲ୍ଲାର ୨୨ଟି ବ୍ଲକ୍ର ୩୦୫୩ ଗ୍ରାମରୁ ୨୪୮୨ଟି ଗାଁ ଗ୍ରୀନ୍ ଜୋନ୍ ଥିବାବେଳେ ୫୭୧ଟି ଗାଁ ରେଡ୍ ଜୋନ୍ରେ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଗ୍ରାମାଞ୍ଚଳର ସ୍ଥିତିକୁ ନେଇ ଏକ ମ୍ୟାପ୍ ଜାରି କରାଯାଇଛି । ୨୪ଘଣ୍ଟିଆ ପ୍ରୟାଶ ଜାରି ରଖିଥିବା ସମସ୍ତ ବିଡିଓ ତାଙ୍କ ଟିମ୍ର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଜିଲ୍ଲାର ୮୧ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍କୁ ଆସିବା ସମ୍ଭବପର ହୋଇଛି । ଏଥିଲାଗି ଜିଲ୍ଲାପାଳ ବିଡିଓ ଓ ତାଙ୍କର ଟିମ୍କୁ କୃତଜ୍ଞତା ଜଣାଇଛନ୍ତି । ଏଭଳି ଧାରା ଜାରି ରହିଲେ ଗଞ୍ଜାମର ସ୍ଥିତି ନିୟନ୍ତ୍ରଣକୁ ଆସିପାରିବ ବୋଲି ଆଶା କରାଯାଉଛି । ବୁଧବାର ଜିଲ୍ଲାରେ କରୋନାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮୬ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବୁଧବାର ୨୭୦ଜଣ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ଏହି ୧୫ଦିନ ମଧ୍ୟରେ ୩୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୫୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪୯ରେ ପହଁଚିଛି । ଏଥିମଧ୍ୟରେ ୪୬ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୩୪ଜଣ କୋଭିଡ଼୍ ଯୋଦ୍ଧା, ରାଜ୍ୟ ବାହାର ଫେରନ୍ତା ୩ଜଣ ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୪୯ଜଣ । ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଆସିକାର ୮, ବେଲଗୁଣ୍ଠା ୩, ଭଞ୍ଜନଗର ୩, ବୁଗୁଡା ୧, ଛତ୍ରପୁର ୧, ଗଞ୍ଜାମ ୧, ଜଗନ୍ନାଥପ୍ରସାଦ ୨, କବିସୂର୍ଯ୍ୟନଗର ୯, ପୋଲସରା ୨, ପୁରୁଷୋତ୍ତମପୁର୧ ଓ ସୋରଡାର ୩ଜଣ ରହିଛନ୍ତି । ରାଜ୍ୟ ବାହାର ଫେରନ୍ତା ସଂକ୍ରମିତଙ୍କ ମଧ୍ୟରେ ଚିକିଟିର ଜଣେ, କବିସୂର୍ଯ୍ୟନଗରର ଜଣେ ଓ ପାତ୍ରପୁରର ଜଣେ ରହିଛନ୍ତି । ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ଅଂଚଳର ୮୫ ଜଣ, ଆସିକା ୯, ବେଲଗୁଣ୍ଠା ୨, ଭଞ୍ଜନଗର ୩୦, ବୁଗୁଡା ୧୮, ଛତ୍ରପୁର ୭, ଚିକିଟି ୫, ଦିଗପହଣ୍ଡି ୬, ଧରାକୋଟ ୬, ଗଞ୍ଜାମ ୧୬, ହିଞ୍ଜିଳିକାଟୁ ୮, ଜଗନ୍ନାଥପ୍ରସାଦ ୪, କବିସୂର୍ଯ୍ୟନଗର ୩, ଖଲ୍ଲିକୋଟ ୧, କୁକୁଡାଖଣ୍ଡି ୧, ପାତ୍ରପୁର ୧୩, ପୋଲସରା ୧୦, ପୁରୁଷୋତ୍ତମପୁର ୧, ସାନଖେମୁଣ୍ଡି ୧, ଶେରଗଡ ୧୦ ଓ ସୋରଡାରୁ ୧୩ଜଣ ଲେଖାଏଁ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୪୬୨୧ରେ ପହଂଚିଛି । ଅନ୍ୟପକ୍ଷରେ ଜିଲ୍ଲାରେ ବୁଧବାର ୨୭୦ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୨୯୭୧ରେ ପହଂଚିଛି । ଜିଲ୍ଲାରେ ଏବେ ୧୬୦୧ ସଂକ୍ରମିତ ରହିଛନ୍ତି ।