ନୂଆଦିଲ୍ଲୀ – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇବ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଆଜି ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ‘‘cbseresults.nic.in’’ ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ। ଏଥିସହ ଡିଜିଲକର୍ ମୋବାଇଲ୍ ଆପ୍ ମାଧ୍ୟମରେ ବି ପରୀକ୍ଷାର୍ଥୀ ଜାଣିପାରିବେ। ପରୀକ୍ଷାର୍ଥୀଙ୍କ ଦ୍ବାରା ପଞ୍ଜିକୃତ ହୋଇଥିବା ମୋବାଇଲ୍ ନମ୍ବରରେ ବି ସିବିଏସଇ ପକ୍ଷରୁ ସୂଚନା ଦିଆଯିବ।କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ। ଦ୍ବାଦଶ ପରି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ବେଳେ ମେରିଟ୍ ଲିଷ୍ଟ ବାହାରିବ ନାହିଁ। ଜୋନ୍ ସ୍ତରରେ ବି ଟପର୍ ତାଲିକା ପ୍ରକାଶ କରାଯିବ ନାହିଁ। କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।