
ବାଲେଶ୍ବର, ୧୪/୭:(କୃଷ୍ଣ କୁମାର ମହାନ୍ତି) ବାଲେଶ୍ବର ଜିଲ୍ଲାରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ନିମାର୍ଣ ଶ୍ରମିକ ଥିବାବେଳେ ହଜାର ହଜାର ନିମାର୍ଣ ଶ୍ରମିକ ପଞ୍ଜିକୃତ ହୋଇପାରି ନଥିବାରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅନ୍ତର୍ଗତ ସହାୟତା ତଥା ଅନ୍ୟାନ୍ୟ ସୁବିଧାସୁଯୋଗରୁ ବଂଚିତ ହେବା ସହ କରୋନା ମହାମାରୀ ସମୟରେ ଆର୍ଥିକ ଦୁର୍ଗତି ଭୋଗୁଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଅଭିଯୋଗ କରିଛନ୍ତି। ଏହି ପଞ୍ଜିକରଣ କାର୍ଯ୍ୟକୁ ତୁରନ୍ତ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ସେ ଦାବି କରିଛନ୍ତି।
ସୂଚନା ଅନୁସାରେ, ଇତିମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଜୁଲାଇ ୧ ତାରିଖ ଠାରୁ ସେପ୍ଟେମ୍ବର ଶେଷ ସୁଦ୍ଧା ପଞ୍ଜିକରଣ କାମ ସାରିଦେବାକୁ ଅନୁରୋଧ କରିଛନ୍ତି। ବାଲେଶ୍ବର ଜିଲ୍ଲାରେ ‘ଉପ ଶ୍ରମ ଆୟୁକ୍ତ ଓ ଜିଲ୍ଲା ଶ୍ରମବିଭାଗ କାର୍ଯ୍ୟାଳୟ’ ଥିଲାବେଳେ ହଜାର ହଜାର ନିମାର୍ଣ ଶ୍ରମିକଙ୍କ ପଞ୍ଜିକରଣ ହେବାପାଇଁ ଆବେଦନ ପତ୍ର ସେଠାରେ ବହୁତ ଦିନରୁ ପଡ଼ି ରହିଥିବା ଜଣା ପଡ଼ିଛି। ହଜାର ହଜାର ନିମାର୍ଣ ଶ୍ରମିକ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ସହାୟତା ରାଶି ଭୁଲ୍ ଠିକଣା ଓ ବ୍ୟାଙ୍କ୍ ସଂଯୋଗୀକରଣ ନହୋଇଥିବା ହେତୁ ପଞ୍ଜିକୃତ ନିମାର୍ଣ ଶ୍ରମିକଙ୍କୁ ପ୍ରଦାନ କରାଯାଇ ପାରିନଥିବା ଅତ୍ୟନ୍ତ ଦୁଭାର୍ଗ୍ୟର କଥା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ବାଲେଶ୍ବର ଜିଲ୍ଲାରେ ଶ୍ରମ କାର୍ଯ୍ୟାୟରେ ବିଭିନ୍ନ କାରଣରୁ ସହାୟତା ରାଶି ମିଳିବାରେ ବହୁ ବିଳମ୍ବ ହେଉଥିବାରୁ ଏବଂ ପଡ଼ି ରହିଥିବା ଆବେଦନ ପତ୍ର ଗୁଡ଼ିକର ପଞ୍ଜିକରଣ ନିମନ୍ତେ ପଦକ୍ଷେପ ନିଆଯାଉ ନଥିବା ହେତୁ ଶ୍ରମିକ ମହଲରେ ଘୋର ନୈରାଶ୍ୟ ଦେଖା ଦେଇଛି। ଏଣୁ ଏହାର ଆଶୁ ସମାଧାନ କରୋନା ବିପତ୍ତି ସମୟରେ ଜରୁରୀ ହୋଇ ପଡ଼ିଛି। କେନ୍ଦ୍ର କ୍ୟାବିନେଟରେ ପଞ୍ଜିକୃତ ନିମାର୍ଣ ଶ୍ରମିକଙ୍କ ପାଇଁ ସହରକୁ କାର୍ଯ୍ୟ ଲାଗି ଆସୁଥିବା ତଥା ପ୍ରବାସୀ ନିମାର୍ଣ ଶ୍ରମିକଙ୍କ ଲାଗି ଶସ୍ତାରେ ଭଡ଼ାଘର ନିମାର୍ଣ ଓ ବିନିଯୋଗ – ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ମହାପାତ୍ର ଅଭିହିତ କରିଛନ୍ତି। ନିର୍ମାଣ ଶ୍ରମିକମାନେ ରାଜ୍ୟ ମଙ୍ଗଳବୋର୍ଡ଼ ନିକଟରେ ପଞ୍ଜିକୃତ ହେଲା ପରେ ପି.ଏନ୍.ଜି.ୱାଇ, ପି.ଏନ୍.ଏସ୍.ୱାଇ. ଆଦି ଯୋଜନାର ଲାଭ ଉଠାଇ ପାରିବେ ବୋଲି ସେ କହିଛନ୍ତି।