-
ଯାନବାହାନ ଚଳପ୍ରଚଳ ଉପରେ ରୋକ୍, ୪୨ଟି ଚେକ୍ ପୋଷ୍ଟ, ୪୧ପ୍ଲାଟୁନ ପୋଲିସ ଫୋର୍ସ, ୩ ଅତିରିକ୍ତ ଏସ୍ପି, ୧୬ଡିଏସ୍ପି, ୩୮ ଇନ୍ସିପେକ୍ଟର ନିୟୋଜିତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟାବିସ୍ତାର କରୁଥିବା ବେଳେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ବ୍ରହ୍ମପୁର ମହାନଗର ନିଗମରେ ଯାନବାହାନ ଚଳପ୍ରଚଳ ଓ ବାହାର ଅଞ୍ଚଳର ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରିଛି । ମଙ୍ଗଳବାର ଠାରୁ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବ । ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ୧୩ଘଣ୍ଟିଆ ଲକ୍ ଡାଉନ୍ ବଳବତ୍ତର ରହିବ । ଏହି ସମୟରେ କୌଣସି ଜରୁରୀ କାମ ନଥିଲେ ଘରୁ ନବାହାରିବା ଲାଗି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ୨ଜିଲ୍ଲାର ଏସ୍ପି ବ୍ରିଜେଶ କୁମାର ରଏ ଓ ପିନାକ ମିଶ୍ର ନିଜ ନିଜ ଅଞ୍ଚଳର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏପରିକି ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲ୍ଲାର ୧୬ଟି ଏନ୍ଏସି ଓ ହିଞ୍ଜିଳି ପୌର ପାଳିକା ଅଞ୍ଚଳରେ ୧୩ତାରିଖ ଠାରୁ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ୧୫ଦିନଧରି ଲୋକଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । ଆବଶ୍ୟକ ନପଡିଲେ ଘରୁ ନବାହାରିବା କି ବାହାର ଗ୍ରାମାଞ୍ଚଳର ଲୋକ ସହରକୁ ନ ଆସିବେ ସେଥିପ୍ରତି ପଦକ୍ଷେପ ନେବାକୁ ଏସ୍ପି ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏଙ୍କ ତତ୍ତ୍ୱାବଧାନରେ ଜଣେ ଅତିରିକ୍ତ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ୨୨ଟି ଥାନା ଇଲାକାରେ ୩୦ଟି ଅସ୍ଥାୟୀ ତନଖି ଫାଟକ କରାଯାଇଛି । ଆନ୍ତଃଜିଲ୍ଲା ତନଖ୍ô ଫାଟକ ଯଥା ଗଞ୍ଜାମ-କନ୍ଧମାଳ-ନୟାଗଡ-ଖୋର୍ଦ୍ଧା ଓ ଗଜପତି ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶପଥକୁ ସିଲ୍କରି ଯାନବାହାନ ଓ ଲୋକଙ୍କ ଯାତାୟାତ ଉପରେ କଡାକଡି କଟାକଣା ସହ ଯାଞ୍ଚ କରାଯାଉଛି । ଜିଲ୍ଲାର ସମସ୍ତ ଥାନାର ଇନ୍ସିପେକ୍ଟରଙ୍କ ସହ ପ୍ରାୟ ୨୪ଜଣ ଇନ୍ସିପେକ୍ଟର ନିଜ ନିଜ ଇଲାକାରେ ମୋବାଇଲ ଟିମ୍ ଗଠନକରି ପାଟ୍ରୋଲିଂ କଡାକଡି କରୁଛନ୍ତି । ସେମାନଙ୍କୁ ୮ଜଣ ଡିଏସ୍ପି ତଦାରଖ କରୁଥିବା ବେଳେ ୨୯ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଖୋଦ୍ଧ ଏସ୍ପି ଶ୍ରୀ ରଏ ସମସ୍ତ ଅନ୍ତଃରାଜ୍ୟ ତନଖି ଫାଟକକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ସେହିପରି ବ୍ରହ୍ମପୁର ପୋଲିସ ଜିଲ୍ଲାର ବ୍ରହ୍ମପୁର, ସଦର, ଚିକିଟି ସବ୍ଡିଭିଜନ ଅଧିନରେ ୧୨ଟି ଚେକ୍ ପୋଷ୍ଟ କରାଯାଇଛି । ବିଶେଷକରି ଆନ୍ଧ୍ର ଓ ବ୍ରହ୍ମପୁରକୁ ପ୍ରବେଶ କରୁଥିବା ପ୍ରବେଶପଥକୁ ସିଲ୍ କରାଯାଇ ଯାଞ୍ଚ କଡାକଡି କରାଯାଉଛି । ୨ଜଣ ଅତିରିକ୍ତ ଏସ୍ପି, ଡିଏସ୍ପି, ୧୪ଜଣ ଇନ୍ସିପେକ୍ଟର ଯାଞ୍ଚ କାର୍ଯ୍ୟରେ ସାମିଲ୍ ହୋଇଥିବା ବେଳେ ପ୍ରାୟ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡିଛି । ଏସ୍ପି ପିନାକ ମିଶ୍ର ଆନ୍ଧ୍ର ଓ ଗଞ୍ଜାମ ବୋର୍ଡର ସହ ବ୍ରହ୍ମପୁର ସହରକୁ ପ୍ରବେଶ କରୁଥିବା ସମସ୍ତ ପ୍ରବେଶପଥରେ ଅସ୍ଥାୟୀ ପୋଲିସ ପୋଷ୍ଟ କିଭଳି କାର୍ଯ୍ୟ କରୁଛି ତାହାର ତଦାରଖ କରିଥିବା ଦେଖିବାକୁ ମିଳିଛି । କରୋନା ଭୁତାଣୁ ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ୨ ପୋଲିସ ଜିଲ୍ଲାର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ମଙ୍ଗଳବାର ଦିନ କଡାକଡି ଯାଞ୍ଚ ଅମାନିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ଏପଟେ ଅତ୍ୟାବଶ୍ୟକୀୟସ୍ଥଳେ ୧୦୦ ନମ୍ବରକୁ ଡାଏଲ କରି ପୋଲିସର ସହଯୋଗ ନିଅନ୍ତୁ ବୋଲି ୨ ପୋଲିସ ଅଧିକାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।