ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ସମ୍ପୂର୍ଣ୍ଣ ଭାବରେ ଅଣାୟତ ଅବସ୍ଥାକୁ ଆସିଯାଇଛି । ସରକାରୀସ୍ତରରେ ଗୋଷ୍ଠୀ ସଂକ୍ରମଣକୁ ଅଶ୍ୱିକାର କରାଯାଇଥିଲେ ମଧ୍ୟ ପ୍ରତିଦିନ ଶହ ଶହ ଲୋକ କରୋନାର ଶିକାର ହେବା ସ୍ପଷ୍ଟ ଜଣାପଡୁଛି । ଏହି ରୋଗ ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାବାସୀ ଭୟ ଓ ଆଶଙ୍କା ଭିତରେ ଥିବାବେଳେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ କିଛି ପ୍ରଶାସନିକ ଅଧିକାରୀଙ୍କ ହାତରେ ଛାଡି ଦେଇ ଶାସକ ଦଳ ଘରେ ବସିଗଲା ପରି ଜିଲ୍ଲାବାସୀ ମନେ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଗଞ୍ଜାମ ଜିଲ୍ଲାରୁ ୨ଥର କେନ୍ଦ୍ରମନ୍ତ୍ରୀ ଓ ୫ଥର ମୁଖ୍ୟମନ୍ତ୍ରୀ ଭାବରେ ପ୍ରତିନିଧିତ୍ୱ କରିଛନ୍ତି । ଲୋକଙ୍କର ଏହି ଅସୁବିଧା ସମୟରେ ଜିଲ୍ଲାକୁ ନଆସିବା ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଏକ ସମୀକ୍ଷା ବୈଠକ ନକରିବା ଅତି ଦୁର୍ଭାଗ୍ୟର ବିଷୟ ଅଟେ । କରୋନା ଦ୍ୱାରା ଜିଲ୍ଳାରେ ଓକିଲ, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ସାମ୍ବାଦିକ ପ୍ରଭୃତି ବର୍ଗର ଲୋକ ପ୍ରାଣ ହରାଇ ସାରିଲେଣି । ଯେତେବେଳେ ଜିଲ୍ଲାକୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଆବଶ୍ୟକ ସେତେବେଳେ କିଛି ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାକୁ ପଠାଇ ମୁଖ୍ୟମନ୍ତ୍ରୀ କାମ ସାରିଦେବା ଉଚିତ ନୁହେଁ । ଜିଲ୍ଲାରେ ଜନପ୍ରତିନିଧିମାନେ ଅଜ୍ଞାତବାସରେ । ଲୋକ ପ୍ରତିନିଧିମାନଙ୍କୁ ପାଖରେ ନପାଇବା ଫଳରେ ଲୋକେ ଅଧିକ ଭୟଭୀତ ହେଉଛନ୍ତି । ପ୍ରଶାସନିକ ଅଧିକାରୀମାନେ ତାଲାବନ୍ଦରେ ଅଧିକ ବିଶ୍ୱାସ ରଖି ଦେଶର ୯ଦିନ ପୂର୍ବରୁ ଗଞ୍ଜାମକୁ ବନ୍ଦ କଲେ । ବାସ୍ତବରେ ଅତ୍ୟଧିକ ପରୀକ୍ଷା ଓ ମେଡିକାଲ୍ର ସୁବିଧା ହିଁ କରୋନାକୁ ହଟାଇ ପାରିବ । ଏହି କଥା ସରକାର ଓ ଜିଲ୍ଲା ପ୍ରଶାସନ ଶୁଣିବାକୁ ନାରାଜ । ମୁଖ୍ୟମନ୍ତ୍ରୀଙ୍କର ପ୍ରବାସୀ ଓଡ଼ିଆ ନୀତି ଓ ପ୍ରଶାସନିକ ଅଧିକାରୀଙ୍କ ପରିଚାଳନାଗତ ବିଭ୍ରାନ୍ତି ହିଁ ଗଞ୍ଜାମ ଜିଲ୍ଲାରେ କରୋନା ବ୍ୟାପିବାରେ ମୁଖ୍ୟ କାରଣ ଅଟେ । ଅତଏବ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ନିଜେ ତୁରନ୍ତ ଏଠାକୁ ଆସି ଏକ ସମୀକ୍ଷା ବୈଠକ କରନ୍ତୁ ଓ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଔଷଧ ଆଦିର ବ୍ୟବସ୍ଥା କରିବାକୁ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପତିବାସ ପଣ୍ଡା ଦାବି କରିଛନ୍ତି ।
Related Stories
November 27, 2024
November 27, 2024