ନୂଆଦିଲ୍ଲୀ-ରେଳ ମନ୍ତ୍ରଣାଳୟ ଏବେ ଭାରତୀୟ ରେଳବାଇକୁ ସମ୍ପୂର୍ଣ୍ଣ ରୂପେ ରୂପାନ୍ତରଣ ଏବଂ ଆଧୁନିକୀକରଣ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ଏବଂ ସେହି ଲକ୍ଷ୍ୟ ହାସଲ କରିବା ଦିଗରେ 2030 ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ “ଗ୍ରୀନ ରେଳବାଇ” (ନେଟ ଜିରୋ କାର୍ବନ ନିର୍ଗମନ)ରେ ପରିଣତ କରାଯିବ । ଏହି ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ଅନେକ ଗୁଡ଼ିକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱ ତାପନ ତଥା ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ସମାଧାନ ଦିଗରେ ଏହା ସହାୟକ ହେବ। ରେଳବାଇ ବିଦ୍ୟୁତିକରଣ, ଲୋକୋମୋଟିଭଗୁଡ଼ିକରେ ଶକ୍ତି ସକ୍ରିୟତା ବୃଦ୍ଧି ଏବଂ ଟ୍ରେନ ତଥା ସ୍ଥିର ଇନଷ୍ଟାଲେସନଗୁଡ଼ିକୁ ଅଧିକ ଶକ୍ତି ସକ୍ରିୟକ୍ଷମ କରିବା, ଅନ୍ୟାନ୍ୟ ଇନଷ୍ଟାଲେସନ/ଷ୍ଟେସନଗୁଡ଼ିକର ଗ୍ରୀନ ସାର୍ଟିଫିକେସନ କରାଯିବା, ରେଳ ବଗିଗୁଡ଼ିକରେ ବାୟୋ ଶୌଚାଗାର ଖଞ୍ଜାଯିବା ଏବଂ ପାରମ୍ପରିକ ଶକ୍ତି ପରିବର୍ତ୍ତେ ସେସବୁକୁ ଅକ୍ଷୟ ଶକ୍ତିକ୍ଷମ କରାଯିବା ଆଦି ପଦକ୍ଷେପ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଛି । ଏହା ଫଳରେ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଭାରତୀୟ ରେଳବାଇ ଏପର୍ଯ୍ୟନ୍ତ ପ୍ରାୟ 40,000 କିଲୋମିଟର ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ଶେଷ କରିଥିବା ବେଳେ 2014 ମସିହା ଠାରୁ 2020 ମଧ୍ୟରେ ସେଥିରୁ 18,605 କିଲୋମିଟର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ କରାଯାଇଛି । ପୂର୍ବରୁ 2009 ମସିହା ଠାରୁ 2014 ମସିହା ପର୍ଯ୍ୟନ୍ତ ମାତ୍ର 3,835 କିଲୋମିଟର ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ସେହିଭଳି 2020-21 ମସିହାରେ ଭାରତୀୟ ରେଳବାଇ ମୋଟ 7000 ଆରକେଏମ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି । 2023 ମସିହା ଡିସେମ୍ବର ମାସ ସୁଦ୍ଧା ଦେଶର ସମସ୍ତ ବ୍ରଡ଼ ଗଜ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାର ଯୋଜନା କରାଯାଇଛି । ଭାରତୀୟ ରେଳବାଇ ସମସ୍ତ ରେଳପଥର ବିଦ୍ୟୁତିକରଣ ତଥା ସମସ୍ତ ମିସିଂ ଲିଙ୍କର ବିଦ୍ୟୁତିକରଣ ଉପରେ ଧ୍ୟାନ କେନ୍ଦ୍ରିତ କରିଛି । ଏହି ଲକ୍ଷ୍ୟକୁ ମନରେ ରଖି କୋଭିଡ଼-19 ମହାମାରୀ ସମୟରେ ସୁଦ୍ଧା 365 କିଲୋମିଟର ପ୍ରମୁଖ ସଂଯୋଗ ପଥକୁ କାର୍ଯ୍ୟକ୍ଷମ କରାଯାଇଛି ।
କୋଭିଡ଼-19 ମହାମାରୀ ସମୟରେ ଯେଉଁସବୁ ପ୍ରମୁଖ ରେଳପଥ ସଂଯୋଗକୁ କାର୍ଯ୍ୟକାରୀ କରାଯାଇଛି ସେଥି ମଧ୍ୟରେ ମୁମ୍ବାଇ-ହାୱଡ଼ା ଭାୟା ଆହ୍ଲାବାଦ ଦେଇ ଯାତାୟାତ କରୁଥିବା କଟନୀ-ସତନା ସେକ୍ସନ (99 କିଲୋମିଟର)କୁ କାର୍ଯ୍ୟକ୍ଷମ କରାଯାଇଛି ଏହାଦ୍ୱାର ହାୱଡ଼ାକୁ ବିକଳ୍ପ ରେଳପଥର ବ୍ୟବସ୍ଥା ହୋଇପାରିଛି । ସେହିଭଳି, ଇନ୍ଦୋର-ଗୁନା-ବୀନା ମାର୍ଗରେ ପଚୋର-ମାକ୍ସି (88 ଆରକେଏମ) ସେକ୍ସନକୁ କାର୍ଯ୍ୟକ୍ଷମ କରାଯାଇଛି ଯାହାକି ମାକ୍ସି-ଭୋପାଳ-ବୀନାକୁ ବିକଳ୍ପ ରେଳପଥର ସୁବିଧା ପ୍ରଦାନ କରିଛି । ହାୱଡ଼ା/ସିଆଲଦା-ଏସଭିଡ଼ି କଟରା ଭାୟା ପାଟନା ରୁଟରେ ଭାଗଲପୁର-ଶିବନାରାୟଣପୁର (45 ଆରକେଏମ) ସେକ୍ସନକୁ ଇତି ମଧ୍ୟରେ କାର୍ଯ୍ୟକ୍ଷମ କରାଯାଇଛି । ସେହିଭଳି କରିଆକାଲ ବନ୍ଦରକୁ କୋଇଲା, ସାର ଓ ତାମିଲନାଡ଼ୁର ଇସ୍ପାତ କାରଖାନା ଆନ୍ଧ୍ର ପ୍ରଦେଶର ଥିରୁଭରୁର-କରାଇକାଲ ବନ୍ଦର (46 ଆରକେଏମ) ସହ ସଂଯୋଗ କରିବା ନିମନ୍ତେ ଏହି 46 ଆରକେଏମ ସେକ୍ସନକୁ ସଂଯୋଗ କରାଯାଇଛି ଯାହାକି ଇରୋଡ଼, କୋଏମ୍ବାଟୁର ଓ ପାଲଘାଟକୁ ବନ୍ଦର ସଂଯୋଗ ଯୋଗାଇ ପାରିଛି ।
ଭାରତୀୟ ରେଳବାଇ ପକ୍ଷରୁ ସୌରଶକ୍ତି ଉତ୍ପାଦନ ବୃଦ୍ଧି ନିମନ୍ତେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । ରେଳବାଇ ଏବେ ଘର ଛାତ ଉପରେ ସୌର ପ୍ୟାନେଲ (ଡେଭଲପର ମଡ଼େଲ) ଖଞ୍ଜି 500 ମେଗାୱାଟ ଶକ୍ତି ଉତ୍ପାଦନ ଦିଗରେ କାର୍ଯ୍ୟ କରୁଛି । ଏପର୍ଯ୍ୟନ୍ତ ବିଭିନ୍ନ ରେଳ କାର୍ଯ୍ୟାଳୟ ଓ ଦେଶର 900ଟି ଷ୍ଟେସନରେ ଛାତ ଉପରେ ସୌର ପ୍ୟାନେଲ ଖଞ୍ଜାଯାଇ 100 ମେଗାୱାଟ ସୌରଶକ୍ତି ଉତ୍ପାଦନ କରାଯାଇପାରିଛି । ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ଯାହାର ମିଳିତ କ୍ଷମତା 400 ମେଗାୱାଟ ଉତ୍ପାଦନକ୍ଷମ ହେବ ତାହା ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ରହିଛି ଏବଂ ସମ୍ପୂର୍ଣ୍ଣ ହେବାର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଅଛି । 2022 ମସିହା ଡିସେମ୍ବର ସୁଦ୍ଧା 245 ମେଗାୱାଟ ଶକ୍ତି ଉତ୍ପାଦନକ୍ଷମ ସେହିସବୁ ପ୍ଲାଣ୍ଟ ଗୁଡ଼ିକ ସମ୍ପୂର୍ଣ୍ଣ କରାଯିବା ସକାଶେ ଏବେସୁଦ୍ଧା ଟେଣ୍ଡର ପ୍ରଦାନ କରାଯାଇ ସାରିଛି ।
ଏହା ବ୍ୟତୀତ, ଭାରତୀୟ ରେଳବାଇ ଭୂମିଭିତ୍ତିକ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ପ୍ରୟାସ ଜାରି ରଖିଛି । ଏହା ରେଳ ଚଳାଚଳ ପାଇଁ ଆବଶ୍ୟକ ବିଜୁଳି ଚାହିଦା ପୂରଣ ହୋଇପାରିବ । ଭାରତୀୟ ରେଳବାଇ ନିକଟରେ 51,000 ହେକ୍ଟର ଭୂମି ରହିଛି ଯେଉଁଥିରେ 20 ଗିଗାୱାଟ ଭୂମିଭିତ୍ତିକ ସୌରଶକ୍ତି କେନ୍ଦ୍ର ସ୍ଥାପନ ସାମର୍ଥ୍ୟକୁ ସାକାର କରାଯାଇପାରିବ । ଏହି ସୌର କେନ୍ଦ୍ରଗୁଡ଼ିକର ଉତ୍ପାଦିତ ବିଜୁଳି ଶକ୍ତି କେନ୍ଦ୍ରୀୟ/ରାଜ୍ୟର 25 କେଭି ଏସି ଟ୍ରାକସନ୍ ବ୍ୟବସ୍ଥା ଗ୍ରୀଡ଼କୁ ପ୍ରତ୍ୟକ୍ଷ ଭାବେ ଯୋଗାଇ ଦିଆଯାଇପାରିବ । ରେଳବାଇ ଶକ୍ତି ପରିଚାଳନା କମ୍ପାନୀ ଲିମିଟେଡ଼ (ଆରଇଏମସିଏଲ), ଯାହାକି ଭାରତୀୟ ରେଳବାଇ (49% ଇକ୍ୟୁଟି) ଏବଂ ରାଇଟ୍ସ ଲିମିଟେଡ଼ (51% ଇକ୍ୟୁଟି)ର ମିଳିତ ଉଦ୍ୟମ ଭାବେ କାର୍ଯ୍ୟକାରୀ ହେଉଛି ତାହା କାର୍ଯ୍ୟକ୍ଷମ ହେଲେ ଭୂମିଭିତ୍ତିକ ସୌରଶକ୍ତି ଉତ୍ପାଦନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବ ।
ମଧ୍ୟପ୍ରଦେଶର ବୀନା ଠାରେ 1.7 ମେଗାୱାଟର ଏକ ପ୍ରକଳ୍ପ ଏବେ ଭାରତ ହେଭୀ ଇଲେକ୍ଟ୍ରିକାଲ୍ସ ଲିମିଟେଡ଼ (ଭେଲ) ସହଯୋଗରେ ସ୍ଥାପନ କରାଯାଇଛି ଏବଂ ଏବେ ତାହାକୁ ବ୍ୟାପକ ମାତ୍ରାରେ ପରୀକ୍ଷା କରାଯାଉଛି । ଏହା ବିଶ୍ୱର ଏହି ଧରଣର ଏକମାତ୍ର ସୌରଶକ୍ତି ଉତ୍ପାଦନ କେନ୍ଦ୍ର ଭାବେ ପରିଚିତ ହେବ ।