ନୂଆଦିଲ୍ଲୀ– ନୀତି ଆୟୋଗ ପକ୍ଷରୁ ଜାତିସଂଘର ସର୍ବୋଚ୍ଚ ରାଜନୈତିକ ମଞ୍ଚ (ଏଚ୍ଏଲ୍ପିଏଫ୍)ରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ସଂକ୍ରାନ୍ତ ଭାରତର ଦ୍ୱିତୀୟ ସ୍ୱେଚ୍ଛାକୃତ ସମୀକ୍ଷା ରିପୋର୍ଟ ଉପସ୍ଥାପନ କରାଯାଇଛି । ଏଚ୍ଏଲ୍ପିଏଫ୍ ଜାତିସଂଘ ଦ୍ୱାରା ଧାର୍ଯ୍ୟ ହୋଇଥିବା 17ଟି ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ମଞ୍ଚ । ନୀତି ଆୟୋଗର ଉପାଧ୍ୟକ୍ଷ ଡଃ ରାଜୀବ କୁମାର ଏହି ରିପୋର୍ଟ (ଭିଏନ୍ଆର 2020) ଉପସ୍ଥାପନ କରିଛନ୍ତି । ଏହାର ନାମ ରଖାଯାଇଛି ଡିକେଡ ଅଫ୍ ଆକ୍ସନ: ଟେକିଂ ଏସ୍ଡିଜି ଫ୍ରମ ଗ୍ଲୋବାଲ ଟୁ ଲୋକାଲ (ଦଶନ୍ଧିର କାର୍ଯ୍ୟାନୁଷ୍ଠାନ: ନିରନ୍ତର ବିକାଶ ଲକ୍ଷ୍ୟକୁ ବିଶ୍ୱରୁ ସ୍ଥାନୀୟ ସ୍ତରକୁ ନେବାକୁ ପ୍ରୟାସ) । ଏହି ଅବସରରେ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର, ଆୟୋଗର ସଦସ୍ୟ ଡଃ ଭି.କେ. ପାଲ୍, ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ, ନିରନ୍ତର ବିକାଶ ଲକ୍ଷ୍ୟ ସଂକ୍ରାନ୍ତ ପରାମର୍ଶଦାଦାତା ଶ୍ରୀମତୀ ସଂଯୁକ୍ତା ସମାଦାର ପ୍ରମୁଖ ଉପସ୍ଥିତ ଥିଲେ । ଏଚ୍ଏଲ୍ପିଏଫ୍ର ଚଳିତବର୍ଷର ଏହି ବୈଠକ ଏଥର ମହାମାରୀ ସମୟରେ ଆୟୋଜିତ ହେଉଛି । ଏଥିରେ 47 ସଭ୍ୟ ରାଷ୍ଟ୍ର ସେମାନଙ୍କର ସ୍ୱେଚ୍ଛାକୃତ ରିପୋର୍ଟ ଜୁଲାଇ 10ରୁ 20 ତାରିଖ ମଧ୍ୟରେ ଉପସ୍ଥାପିତ କରିବା ପାଇଁ ବ୍ୟବସ୍ଥା ରହିଛି ।
ଏଚ୍ଏଲ୍ପିଏଫ୍ ପ୍ରତିବର୍ଷ ଜୁଲାଇ ମାସରେ 8 ଦିନ ପାଇଁ ଅନୁଷ୍ଠିତ ହୋଇଥାଏ । ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦ ଇକୋସକ୍ ଆନୁକୂଲ୍ୟରେ ଏହା ଆୟୋଜିତ ହୁଏ । 2030 ସୁଦ୍ଧା ଯେଉଁ 17ଟି ପ୍ରମୁଖ ବିଷୟରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଜାତିସଂଘ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ତାହାର ଗତିବିଧି, ରୂପାୟନ ଓ ଅଗ୍ରଗତି ସଂପର୍କରେ ଏହି ବୈଠକରେ ସମୀକ୍ଷା ହୋଇଥାଏ । ଏଥିପାଇଁ ସଂପୃକ୍ତ ସଭ୍ୟ ରାଷ୍ଟ୍ରମାନେ ନିଜ ନିଜର ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିଥାନ୍ତି । ଅବଶ୍ୟ ଏହି ରିପୋର୍ଟ ଉପସ୍ଥାପନ ଇଛାଧୀନ । ତେବେ ସଂପୃକ୍ତ ଲକ୍ଷ୍ୟ ହାସଲ ଦିଗରେ ବିଭିନ୍ନ ଦେଶର ସଫଳତା ବିଫଳତା, ରଣନୀତି ଏବଂ ଅନ୍ୟାନ୍ୟ ବିଷୟରେ ସଭ୍ୟ ରାଷ୍ଟ୍ରମାନେ ତଥ୍ୟ ଜାଣିବାକୁ ପାଆନ୍ତି ଏବଂ ତଦନୁସାରେ ନିଜର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥାନ୍ତି । ଏହା ମଧ୍ୟ ଦେଶ-ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଭାଗୀତା ବୃଦ୍ଧିରେ ସହାୟକ ହୋଇଥାଏ । ଭାରତ ପକ୍ଷରୁ ନୀତି ଆୟୋଗ ପ୍ରଥମ ଭିଏନ୍ଆର 2017ରେ ଉପସ୍ଥାପିତ କରିଥିଲା ।
ଭାରତ ସହିତ ଦ୍ୱିତୀୟ ଥର ପାଇଁ ଏହି ରିପୋର୍ଟ ଯେଉଁସବୁ ଦେଶ ଉପସ୍ଥାପନ କରିଛନ୍ତି ସେଗୁଡିକ ହେଲେ ବାଂଲାଦେଶ, ଜର୍ଜିଆ, କେନିଆ, ମରକ୍କୋ, ନେପାଳ, ନାଇଜର, ନାଇଜେରିଆ ଏବଂ ଉଗାଣ୍ଡା । ରିପୋର୍ଟ ଉପସ୍ଥାପନକାରୀ ଦେଶଙ୍କୁ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଉପସ୍ଥାପିତ କରିବାକୁ ପଡିଥାଏ । ଯେଉଁଥିରେ ସହଶ୍ରାବ୍ଦୀ ବିକାଶ ଲକ୍ଷ୍ୟ ପୂରଣ ସଂକ୍ରାନ୍ତ କାର୍ଯ୍ୟକ୍ରମର ରୂପାୟନ ତଥ୍ୟାବଳୀ ଥାଏ । ଭାରତ ଏ କ୍ଷେତ୍ରରେ ଯାହାସବୁ ସଫଳତା ହାସଲ କରିଛି ଏଥର ଭିଏନ୍ଆରରେ ତାହା ସ୍ଥାନିତ ହୋଇଛି । ରାଜୀବ କୁମାର ତାଙ୍କ ଉଦ୍ଘାଟନ ଭାଷଣରେ ଏହି ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ସଂଗ୍ରାମ କରୁଥିବା ରାଷ୍ଟ୍ରଗୁଡିକୁ ସମର୍ଥନ କରି କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ସେମାନେ ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ । ଭାରତ ଏହି ମହାମାରୀର ମୁକାବିଲା ପାଇଁ ଗ୍ରହଣ କରିଥିବା ଆତ୍ମନିର୍ଭର ଭାରତ ଅଭିଯାନ ସଂପର୍କରେ ସେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏହି ସଂକଟ କାଳରେ ଆମେ ସମସ୍ତେ ଭେଦଭାବ ଭୁଲି ଏକାଠି ହୋଇ ଲଢେଇ କରିବା ଉଚିତ । ଏହି ସଂକଟକୁ ଏକ ସୁଯୋଗରେ ପରିଣତ କରିବା ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହାଦ୍ୱାରା ସହଶ୍ରାବ୍ଦ ବିକାଶ ଲକ୍ଷ୍ୟ ପୂରଣ ସହଜ ହୋଇପାରିବ ବୋଲି ସେ କହିଥିଲେ ।
ଭାରତର ସ୍ଥିତି ସଂପର୍କରେ ଉଲ୍ଲେଖକରି ସେ କହିଛନ୍ତି ଯେ ଏହା ଠିକଣା ବାଟରେ ଚାଲିଛି ଏବଂ କେହି ପଛରେ ପଡିଯାଇନାହିଁ । ବହୁମୁଖୀ ଦ୍ରାରିଦ୍ର୍ୟର ଦୂରୀକରଣ, ଖାଦ୍ୟ ନିରାପତ୍ତା ଯୋଗାଣ, ସମସ୍ତଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା, ସମସ୍ତଙ୍କୁ ବିଜୁଳି ସୁବିଧା ଯୋଗଣ, ସ୍ୱଚ୍ଛ ରନ୍ଧନ ଗ୍ୟାସ ସୁବିଧା ଓ ପରିଚ୍ଛନ୍ନତା ତଥା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା ମାଧ୍ୟମରେ 50 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଛି । ସହଶ୍ରାବ୍ଦ ବିକାଶ ଲକ୍ଷ୍ୟ ପୂରଣ ସହିତ ଲୋକଙ୍କ ଜୀବନ ଜୀବିକାରେ ଏକ ଦୀର୍ଘମିଆଦୀ ପରିବର୍ତ୍ତନ ଆଣିବା ପାଇଁ ଭାରତରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି ।