ନୂଆଦିଲ୍ଲୀ– ଦେଶରେ ତୃଣମୂଳସ୍ତରୀୟ କ୍ରୀଡ଼ାର ବିକାଶ, ନେହରୁ ଯୁବ କେନ୍ଦ୍ର ଏବଂ ଏନଏସଏସର କାର୍ଯ୍ୟକଳାପ ନେଇ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଆଜି ଠାରୁ ଦୁଇଦିନ ଧରି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ।
ଏ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି ଦେଶ ବର୍ତ୍ତମାନ ଅନଲକର ଦ୍ୱିତୀୟ ପର୍ଯ୍ୟାୟରେ ଥିବା ବେଳେ କ୍ରୀଡା ଓ ଯୁବ ବ୍ୟାପାର ସମ୍ପର୍କରେ ଆଲୋଚନା ହେବା ଅପରିହାର୍ଯ୍ୟ । ଏହି ସମୟରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆକାଂକ୍ଷିତ ଲକ୍ଷ୍ୟ ହାସଲ ପାଇଁ ପ୍ରାୟାସ କରୁଛି । ବାହାରେ ତାଲିମ କାର୍ଯ୍ୟକ୍ରମ ବନ୍ଦ ଥିଲେ ମଧ୍ୟ ପ୍ରତ୍ୟେକ ସ୍ତରର କ୍ରୀଡାବିତ ଓ କୋଚମାନଙ୍କ ପାଇଁ ଅନଲାଇନ ତାଲିମ କାର୍ଯ୍ୟକ୍ରମ ଅବ୍ୟାହତ ରହିଛି । ସେହିପରି ଆମ ନେହରୁ ଯୁବକେନ୍ଦ୍ର ଓ ଏନଏସଏସର ସ୍ୱେଚ୍ଛାସେବୀମାନେ ଜିଲ୍ଲା ପ୍ରଶାସନ ସହ ମିଶି କରୋନା ମୁକାବିଲା କ୍ଷେତ୍ରରେ ସହାୟତା କରୁଛନ୍ତି । ପ୍ରାୟ ୭୫ ଲକ୍ଷ୍ୟ ସ୍ୱେଚ୍ଛାସେବୀ ମାସ୍କ ବିତରଣ, ବୟସ୍କମାନଙ୍କୁ ସାହାଯ୍ୟ ସହ କରୋନା ସଂକ୍ରମଣ ରୋକିବା ଦିଗରେ ସଚେତନତା ସୃଷ୍ଟି କରୁଛନ୍ତି ।
ବୈଠକରେ କରୋନା ସମ୍ପର୍କରେ ସଚେତନତା ସହ ରାଜ୍ୟସ୍ତରରେ କ୍ରୀଡ଼ାର ବିକାଶ ନେଇ ଆଲୋଚନା କରାଯିବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ଓ ବ୍ଲକସ୍ତରରୁ କିଭଳି କ୍ରୀଡା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଅଣାଯିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ଏହାଛଡା ଚଳିତ ବର୍ଷ ଶେଷ ଓ ନୂତନ ବର୍ଷର ଆରମ୍ଭରେ ଖେଲୋ ଇଣ୍ଡିଆ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।
୨୦୨୮ ଅଲିମ୍ପିକରେ ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ଆସିବା ପାଇଁ ଥିବା ଆମର ସ୍ୱପ୍ନକୁ ସାକାର କରିବାକୁ ହେଲେ ତୃଣମୂଳସ୍ତରରେ ଆମର କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବାକୁ ପଡିବ । କ୍ରୀଡା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର (କେଆଇଏସସିଇ) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଜିଲ୍ଲା ସ୍ତରରେ ୧୦୦୦ଟି ଖେଲୋ ଇଣ୍ଡିଆ (କେଆଇସି) କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । ଅଲିମ୍ପିକରେ ଖେଳା ଯାଉଥିବା ୧୪ଟି କ୍ରୀଡା ଓ ପାରମ୍ପରିକ ଖେଳ ପାଇଁ ଏହି କେନ୍ଦ୍ରଗୁଡ଼ିକ ଜରିଆରେ ପ୍ରତିଭା ଚିହ୍ନଟ ହେବ । ଏହାଛଡା ସରକାର ନିର୍ଣ୍ଣୟ ନେଇଥିବା ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା ନୀତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯିବ । ବିଭିନ୍ନ ରାଜ୍ୟଗୁଡିକ ସହିତ ଆଲୋଚନା କରାଯାଇ ଭାରତକୁ କିପରି କ୍ରୀଡା ଜଗତରେ ମହାଶକ୍ତି କରାଯିବ ସେଥିପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି ।
ଏହି ଦୁଇଦିନିଆ ସମ୍ମିଳନୀ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଦୁଇଦିନଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯେଉଁ ରାଜ୍ୟ ଯେଉଁ ଦିନ ଅଂଶଗ୍ରହଣ କରିବାକୁ ଥିବ ସେମାନେ ସେହିଦିନ ବକ୍ତବ୍ୟ ରଖିବେ ।