ବ୍ରହ୍ମପୁର : କରୋନା ଯୋଦ୍ଧାଙ୍କୁ ରାଜ୍ୟ ସରକାରଙ୍କ ସହାୟତା ଘୋଷଣା ଅନୁଯାୟୀ ହିଞ୍ଜିଳିର ସାମ୍ବାଦିକ ବନ୍ଧୁ ପ୍ରିୟଦର୍ଶୀ ପଟନାୟକ ଓ ଗଜପତି ଜିଲ୍ଲାର ସି. ଏଚ. ରତ୍ନମଙ୍କ ପରିବାରଙ୍କୁ ଯଥା ନ୍ୟାୟ ପ୍ରଦାନ ଦାବି ନେଇ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ସ୍ୱର ଉତ୍ତୋଳନ କରିଛି l ପ୍ରକାଶ ଥାଉକି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନ ସଟଡାଉନ କରି ମଧ୍ୟ କରୋନା ସଂକ୍ରମଣକୁ ରୋକିବା ଆଦୌ ସମ୍ଭବ ହେଉନାହିଁ, ବରଂ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବାର ନିହାତି ପ୍ରୟୋଜନ ରହିଛି l ଏଥିସହ କରୋନା ଯୋଦ୍ଧା ବୋଲି ଘୋଷଣା କରାଯାଇଥିବା ଗଣମାଧ୍ୟମ ପ୍ରତିନିଧି, ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ନର୍ସ ତଥା ଅଙ୍ଗନବାଡି ଦିଦି,ଆଶା ଦିଦି ଆଦିଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ l PPE କିଟ୍ ପର୍ଯ୍ୟାପ୍ତ ମାତ୍ରାରେ ଯୋଗାଇବା ଆବଶ୍ୟକ l ହିଞ୍ଜିଳିର କାର୍ଯ୍ୟରତ ସାମ୍ବାଦିକ ପ୍ରିୟଦର୍ଶୀ ପଟନାୟକ ଓ ଗଜପତି ଜିଲ୍ଲାର ସି. ଏଚ. ରତ୍ନମ ଏହି କରୋନା ଯୁଦ୍ଧରେ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି l ଗଞ୍ଜାମର ଜଣେ ଅଙ୍ଗନବାଡି ସୁପରଭାଇଜର ମଧ୍ୟ ଏହି ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି l ଏହି କରୋନା ଯୋଦ୍ଧାମାନଙ୍କ ଅକାଳମୃତ୍ୟୁରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି l ହେଲେ ଓଡିଶା ରାଜ୍ୟ ସରକାର କରୋନା ଯୋଦ୍ଧାମାନଙ୍କ ଏହି ଦୁଃଖଦ ପରିସ୍ଥିତିରେ ସହାୟ ହେଉନାହିଁ l ଏହା ଅତ୍ୟନ୍ତ ଦୁଃଖର ବିଷୟ l ତୁରନ୍ତ ସେମାନଙ୍କ ପରିବାର ଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ସସ୍ମିତା ବେହେରା ଦାବି ରଖିଛନ୍ତି l ଏଥିସହ କରୋନା ଆଳରେ ଅନ୍ୟ ରୋଗରେ ପୀଡିତ ରୋଗୀ ମାନଙ୍କୁ ଆଦୌ ଚିକିତ୍ସା ହୋଇପାରୁନାହିଁ l ଯାହାଫଳରେ ଗୁରୁତର ଅବହେଳା ଯୋଗୁଁ ସେମାନଙ୍କ ଅକାଳମୃତ୍ୟୁ ହେଉଛି l ସେମାନଙ୍କ ଚିକିତ୍ସା ପାଇଁ ଅବିଳମ୍ବେ ବ୍ୟବସ୍ଥା କରି ଏହି ଚରମ ଅବହେଳାକୁ ଦୂର କରାଯିବା ପାଇଁ ମଞ୍ଚ ଦାବି କରିଛି l