
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ପାଂଚ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୧ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ୨ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ କଟକ, ପୁରୀ ଜିଲ୍ଲାର ଜଣେ ଜଣେ ଓ ଭୁବନେଶ୍ୱରରୁ ଜଣେ ରହିଛନ୍ତି । ମୃତ୍ୟୁବରଣ କରିଥିବା ଚାରି ଜଣ ପୁରୁଷ ଓ ଜଣେ ମହିଳା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲାର ୭୦ ବର୍ଷିୟ ବୃଦ୍ଧ ଓ କଟକ ଜିଲ୍ଲାର ୪୬ ବର୍ଷିୟ ବ୍ୟକ୍ତି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ସେହିପରି ଗଞ୍ଜାମର ଜଣେ ୭୨ ବର୍ଷିୟ ବ୍ୟକ୍ତି ମଧୁମେହରେ ପୀଡ଼ିତ ଥିଲେ । ଗଂଜାମ ଜିଲ୍ଲାର ଅନ୍ୟ ଜଣେ ମୃତକଙ୍କର ବୟସ ୫୫ ବର୍ଷ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି । ଭୁବନେଶ୍ୱରର ଯେଉଁ ୫୬ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି ସେ ବି ମଧୁମେହରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥି ସହିତ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧାରେ କରୋନା ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ କଟକରେ ୬ରେ ପହଂଚିଛି । ପୁରୀରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।