ବ୍ରହ୍ମପୁର : ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ମୋବାଇଲ ସ୍ୱାବ୍ ସଂଗ୍ରହ ଭ୍ୟାନ୍ର ଉଦ୍ଘାଟନ କରିଛନ୍ତି । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ୱାବ୍ ସଂଗ୍ରହ ଭ୍ୟାନ୍ ଜରିଆରେ ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡ଼ର ସ୍ଥିରୀକୃତ ସ୍ଥାନମାନଙ୍କରେ ରହି ସ୍ୱାବ୍ ସଂଗ୍ରହ କରାଯିବ । ଶୀତତାପ ନିୟନ୍ତ୍ରୀତ ଭ୍ୟାନ୍ ଭିତରେ ରହି ବାହାରୁ କରୋନା ଲକ୍ଷଣ ଜନୀତ ବ୍ୟକ୍ତି ବିଶେଷଙ୍କଠାରୁ ଦୁଇ ମିଟର ବା ଛଅଫୁଟ ବ୍ୟବଧାନରେ ସାମାଜିକ ଦୂରତ୍ୱ ରକ୍ଷା କରି ଏକାବେଳକେ ଦୁଇ ଜଣଙ୍କ ସ୍ୱାବ୍ ସଂଗ୍ରହ କରିବାର ସୁବିଧା ରହିଛି । ଲାବରେଟୋରୀ ଟେକ୍ନିସିଆନ୍, ସ୍ୱାସ୍ଥ୍ୟ କର୍ମୀ ଓ ଆଟେଣ୍ଡାଣ୍ଟଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ସେମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସୁପରିଚାଳନା କରାଯିବ । ଏଠାରେ ପ୍ରକାଶ ଥାଉ କି ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓ ବାଳିକା ଛାତ୍ରାବାସରେ ଚାଲୁ ରହିଥିବା ଅସ୍ଥାୟୀ ସ୍ୱାବ୍ ସଂଗ୍ରହ କେନ୍ଦ୍ରକୁ ସ୍ୱାବ୍ ଦେବା ପାିଁ ଯାଉଥିବା ବ୍ୟକ୍ତି ବିଶେଷଙ୍କୁ ସଂକ୍ରମଣର ସମ୍ଭାବନାକୁ ରୋକିବା ନିମନ୍ତେ ଏହି ସ୍ୱାବ୍ ସଂଗ୍ରହ ଭ୍ୟାନଟି ଉଦ୍ଦିଷ୍ଟ ଯଦ୍ୱାରା ସ୍ୱାବ୍ ପରୀକ୍ଷା ନିମନ୍ତେ ଯାଉଥିବା ବ୍ୟକ୍ତି ଚିକିତ୍ସାଳୟକୁ ଯିବେ ନାହିଁ । ସେମାନଙ୍କ ନିଜ ଅଞ୍ଚଳରେ ସ୍ୱାବ୍ ଦେବେ ଏବଂ କରୋନା ସଂକ୍ରମଣ ଦାଉରୁ ନିଜକୁ ସୁରକ୍ଷିତ ରଖିପାରିବେ । ଉଦ୍ଘାଟନୀ ସମୟରେ ବ୍ରହ୍ମମୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂହ ରାଠୋର, ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଉମା ଶଙ୍କର ମିଶ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଯୋଜନା ଅଧିକାରୀ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 27, 2024
November 27, 2024