ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଜିଲ୍ଲାସ୍ତରୀୟ ଭିଡ଼ିଓ କନ୍ଫରେନ୍ସି ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ,ବ୍ଳକ ଶିକ୍ଷା ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ କୋଭିଡ଼ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବ୍ଳକ, ତହସିଲ ଓ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟରତ କର୍ମଚାରୀଗଣ କରୋନା ସଂକ୍ରମିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ ଲାଇନ ବିଭାଗରର କର୍ମଚାରୀମାନଙ୍କୁ ମଧ୍ୟ କାର୍ଯ୍ୟ ବଣ୍ଟନ କରି କାର୍ଯ୍ୟଧାରାର ସୁପରିଚାଳନା କରିବାକୁ ଜିଲ୍ଲାପାଳ ଜଣାଇଥିଲେ । ଆଲୋଚନାରେ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ସଦର ମହକୁମା ଛାଡ଼ି ଅନ୍ୟତ୍ର ଯିବା ଆସିବା କରିବାକୁ ବାରଣ କରାଯାଇଛି । କରୋନା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଆକ୍ଟିଭ୍ କଣ୍ଟାକ୍ଟ ଟ୍ରାକ୍ କରି ସମ୍ପୃକ୍ତ ବ୍ୟକ୍ତିର ସ୍ୱାସ୍ଥ୍ୟ ଜନିତ ତଥ୍ୟକୁ ଆଧାର କରି କରୋନା ଲକ୍ଷଣମାନ ଦେଖାଯାଉଥିବା ବ୍ୟକ୍ତିଙ୍କର ସ୍ୱାବ୍ ସଂଗ୍ରହ କରି ପରୀକ୍ଷା କରିବା ଦିଗରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଯେଉଁ ବ୍ୟକ୍ତି ବିଶେଷଙ୍କୁ ଡ଼ିସଚାର୍ଜ କରାଯାଇଛି ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ଓ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସଂଗ୍ରହ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ପରିବାରର ପ୍ରତ୍ୟେକ ସଦସ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଏଣେତେଣେ ଅଯଥାରେ ବୁଲି ସଂକ୍ରମିତ ହୁଅନ୍ତୁ ନାହିଁ ଏବଂ ନିଜ ପରିବାରର ଅନ୍ୟ ସଦସ୍ୟଙ୍କୁ ସଂକ୍ରମିତ କରନ୍ତୁ ନାହିଁ । ବିନା କାରଣରେ ନିୟମ ଉଲ୍ଲଙ୍ଘନ କରି ବିପଦକୁ ଟାଣି ଆଣନ୍ତୁ ନାହିଁ ବୋଲି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଗ୍ରୀନ୍ ଜୋନ୍ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବ୍ୟକ୍ତି ବିଶେଷ ନିଜ ଅଞ୍ଚଳ ଛାଡ଼ି ବାହାରକୁ ଯିବାକୁ ବାରଣ କରାଯାଇଛି । ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ସାମଗ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜରିଆରେ ଯୋଗାଇ ଦେବାକୁ ଯୋଜନା କରି ଏହାର ସୁପରିଚାଳନା କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ରେଡ଼୍ ଜୋନ୍ ଘୋଷିତ ଅଞ୍ଚଳର ସଂକ୍ରମିତ ବ୍ୟକ୍ତିଙ୍କ ଆକ୍ଟିଭ୍ କଣ୍ଟାକ୍ଟ ଟ୍ରାକିଂ କରି ଯାହାର କରୋନା ଲକ୍ଷଣ ରହୁଛି ସେମାନଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା କରିବାକୁ ଏବଂ ସେହି ଅଞ୍ଚଳରେ ୧୪୪ଧାରା ବଳବତ୍ତର ରଖିବାକୁ କୁହାଯାଇଛି । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ଅଞ୍ଚଳରେ ରେଡ଼ଜୋନ୍, ଗ୍ରୀନ୍ ଜୋନ କିମ୍ବା ୟେଲୋ ଜୋନ୍ ଲାଗୁ କରାଯାଇଛି ସେ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ଅବଗତ କରାନ୍ତୁ ତେବେ ଯାଇ ସେହି ଅନୁସାରେ ଜନସାଧାରଣ ସତର୍କତା ଅବଲମ୍ବନ କରିବେ ଓ ସତର୍କ ରହିବେ ବୋଲି ଜିଲ୍ଲାପାଳ ସୂଚାଇଥିଲେ । କୋଭିଡ଼୍ କେୟାର ହୋମ୍ ଓ କୋଭିଡ଼୍ କେୟାର ସେଣ୍ଟର ଗୁଡ଼ିକରେ ସ୍ୱଚ୍ଛତା ଓ ଉତ୍ତମ ମାନଖାଦ୍ୟ ଯେଗାଣ କ୍ଷେତ୍ରରେ ଯଥେଷ୍ଟ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେବା ସହ ଏଥିରେ ବ୍ୟତିକ୍ରମ ଘଟିଲେ କୌଣସି ସାଲିସ୍ କରାଯିବ ନାହିଁ ବୋଲି ଜିଲ୍ଳାପାଳ ସତର୍କ କରାଇଥିଲେ ।
ଜିଲ୍ଲାର ପ୍ରତିଟି ଅଞ୍ଚଳରେ ଦୁର୍ଘଟଣାଜନିତ ହେଉ, ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଜନିତ ହେଉ କିମ୍ବା କୋଭିଡ଼ ସଂକ୍ରମିତ ଜନୀତ ହେଉ ଯଦି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି ତେବେ ମୃତ୍ୟୁ ଜନୀତ ତଥ୍ୟ ଗୁଡ଼ିକ ଜିଲ୍ଲାପାଳ/ପ୍ରଶାସନକୁ ଅବଗତ କରାଇବା ସକାଶେ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ଼୍ ପରିଚାଳନାଗତ ଯେ କୌଣସି ସମସ୍ୟା ଦେଖାଗଲେ ତୁରନ୍ତ ଜିଲ୍ଲାପ୍ରଶାସନର ଦୃଷ୍ଟିରୁ ଆଣନ୍ତୁ ଏଦିଗରେ ତାର ଆଶୁ ସମାଧାନ କରାଯିବ । ଭିଡ଼ିଓ କନ୍ଫରେନ୍ସିଂରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡ଼ୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଡ଼େପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଉମା ଶଙ୍କର ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଆର. ଜଗଦିଶ ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଯୋଜନା ଅଧିକାରୀ ଶ୍ୟାମସୁନ୍ଦର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 27, 2024
November 27, 2024