-
ଲୋକଙ୍କ ସମର୍ଥନ, ଘରେ ଘରେ ସ୍ୱାସ୍ଥ୍ୟ ଯାଞ୍ଚ, ଗଞ୍ଜାମ-ଖୋର୍ଦ୍ଧା ସୀମାନ୍ତ ଯାଞ୍ଚକଲେ ଏସ୍ପି
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନାର କରାଳ ରୂପ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ୫ଟି ବ୍ଲକ୍ ହେଡ୍କ୍ୱାଟରକୁ ୫ଦିନିଆ ସଟ୍ ଡାଉନ୍ ଘୋଷଣା କରିଥିଲା ବେଳେ ଜିଲ୍ଲାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଶୁକ୍ରବାର ସଟ୍ ଡାଉନ୍ର ଦ୍ୱିତୀୟ ଦିନରେ ଜିଲ୍ଲା ପ୍ରଶାସନର ଅନୁରୋଧକୁ ରକ୍ଷାକରି ଗଞ୍ଜାମବାସୀ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଞ୍ଚଳ, ୫ଟି ବ୍ଲକ୍ ଯଥା ଜଗନ୍ନାଥପ୍ରସାଦ, ଧରାକୋଟ, ପାତ୍ରପୁର, ଶେରଗଡ ଓ ସାନଖେମୁଣ୍ଡି ବ୍ଲକ୍ର ହେଡ୍କ୍ୱାଟର ମଧ୍ୟ ସଟ୍ ଡାଉନ୍ ଜାରି ରହିଛି । ଉପରକ୍ତ ଅଞ୍ଚଳର ଲୋକଙ୍କ ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ।
ସ୍କ୍ରିନିଂ ଟେଷ୍ଟ ପାଇଁ ୨୦୦ଟି ଟିମ୍ ଗଠନ କରାଯାଇଥିବା ବେଳେ ପ୍ରତି ଟିମ୍ରେ ଜଣେ ଜଣେ ଡାକ୍ତର ଓ ୨ଜଣ ଅଙ୍ଗନୱାଡି କର୍ମୀ ରହିଛନ୍ତି । ଏହି ଟିମ୍ ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ ଟେଷ୍ଟ ଜାରି ରଖିଛି । ସେପଟେ ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ସିଲ୍ କରାଯାଇ ଜିଲ୍ଲାର କୌଣସି ବ୍ୟକ୍ତିକୁ ବାହାର କିମ୍ବା ବାହାର ଜିଲ୍ଲାର କୌଣସି ବ୍ୟକ୍ତିକୁ ଗଞ୍ଜାମରେ ପ୍ରବେଶ କରାଯାଉନାହିଁ । ସ୍ୱାସ୍ଥ୍ୟଜନୀତ ଓ ସରକାରୀ କାର୍ଯ୍ୟରେ ପାସ୍ କରି ଯାତାୟାତ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଛଡାଯାଉଛି । ଏଭଳି ସ୍ଥିତିରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଖୋର୍ଦ୍ଧା-ଗଞ୍ଜାମ ସୀମାନ୍ତ ଅଞ୍ଚଳକୁ ଯାଇ ଗାଡି ଯାତାୟାତର ଯାଞ୍ଚକରି ସ୍ଥିତି ଅନୁଧ୍ୟାନକରି ସମୀକ୍ଷା କରିଥିଲେ । ସେପଟେ ଗଞ୍ଜାମ ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ପ୍ରବେଶପଥରେ ପୋଲିସର କଡାକଡି ଯାଞ୍ଚ ଚାଲିଛି ।