
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶରେ ରେୱାଠାରେ 750 ମେଗାୱାଟ ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।1500 ହେକ୍ଟର ପରିମିତ ଅଞ୍ଚଳରେ ଥିବା ସୌର ଉଦ୍ୟାନରେ 500 ହେକ୍ଟର ପରିମିତରେ ଥିବା ଏହି ସୌର ପ୍ରକଳ୍ପର 3ଟି ୟୁନିଟରୁ 250 ମେଗାୱାଟ କରି ସୌରଶକ୍ତି ଉତ୍ପାଦିତ ହେବ । ରେୱା ଅଲଟ୍ରା ମେଗା ସୌର ଲିମିଟେଡ (ଆରୟୁଏମଏସଏଲ), ମଧ୍ୟପ୍ରଦେଶ ଊର୍ଜା ବିକାଶ ଲିମିଟେଡ ଓ ଭାରତ ସୋଲାର ଏନର୍ଜୀ ନିଗମର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ଆରୟୁଏମଏସଏଲକୁ ଏହି ଉଦ୍ୟାନ ଲାଗି 138 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୌର ଉଦ୍ୟାନଟି ନିର୍ମିତ ହେବା ପରେ ଏହାର ବିଭିନ୍ନ ୟୁନିଟରୁ ସୌର ଶକ୍ତି ଉତ୍ପାଦନ ଆରମ୍ଭ କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ନିର୍ମିତ ରେୱା ସୌର ପ୍ରକଳ୍ପ ଅନ୍ୟାନ୍ୟ ରାଜ୍ୟମାନଙ୍କ ନିମନ୍ତେ ଏକ ଉଦାହରଣ ପାଲଟିବ । ବିଦ୍ୟୁତ ଶୁଳ୍କ ଦୃଷ୍ଟିରୁ ସମଗ୍ର ଦେଶରେ ଏହି ପ୍ରକଳ୍ପ ଖୁବ ମିତବ୍ୟୟୀ । ସୌର ଶକ୍ତି ଶୁଳ୍କ 2017ରେ ୟୁନିଟ ପିଛା 4.50 ଟଙ୍କା ଥିବା ବେଳେ ରେୱା ପ୍ରକଳ୍ପରୁ ମିଳୁଥିବା ସୌର ଶକ୍ତି ୟୁନିଟ ପିଛା 2.97 ଟଙ୍କା ଧାର୍ଯ୍ୟ ହୋଇଥିଲା । ଏହି ପ୍ରକଳ୍ପ ଯୋଗୁଁ ବାର୍ଷିକ 15 ଲକ୍ଷ ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ବାଷ୍ପ ହ୍ରାସ ପାଇବ ।
ଉଦ୍ଭାବନ ଓ ନିର୍ମାଣ ଶୈଳୀ ଦୃଷ୍ଟିରୁ ଏହି ପ୍ରକଳ୍ପ ଦେଶ ଓ ଦେଶ ବାହାରେ ବେଶ ସ୍ଵୀକୃତି ଲାଭ କରିଛି । ଏହା ଉଦ୍ଭାବନ ପାଇଁ ବିଶ୍ଵ ବ୍ୟାଙ୍କ ଅଧ୍ୟକ୍ଷଙ୍କ ପୁରସ୍କାର ପାଇଛି । ଏହି ଅକ୍ଷୟ ଶକ୍ତି ପ୍ରକଳ୍ପ ଦେଶରେ ରାଜ୍ୟ ବାହାରେ ଅନ୍ୟମାନଙ୍କୁ ଶକ୍ତି ଯୋଗାଇବାରେ ଦେଶର ପ୍ରଥମ ପ୍ରକଳ୍ପ ବିବେଚିତ ହୋଇଛି । ପ୍ରକଳ୍ପରୁ ଶତକଡା 24 ଭାଗ ସୌରଶକ୍ତି ଦିଲ୍ଲୀ ମେଟ୍ରୋ ନେଉଥିବା ବେଳେ ଅବଶିଷ୍ଟ 76 ଭାଗ ମଧ୍ୟପ୍ରଦେଶ ରାଜ୍ୟର ଡ଼ିସକମ ନେଉଛି । ଏହି ରେୱା ପ୍ରକଳ୍ପ ଯୋଗୁଁ ଆଗାମୀ 2022 ସୁଦ୍ଧା ଦେଶରେ 175 ଗିଗାୱାଟ ସୌରଶକ୍ତି ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ରେୱା ପ୍ରକଳ୍ପ ବିଶେଷ ସହାୟତ ହେବ ।