-
ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ ଆରମ୍ଭ, ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍, ଯାଞ୍ଚ କଡାକଡି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର କରାଳ ରୂପ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ୫ଟି ବ୍ଲକ୍ ହେଡ୍କ୍ୱାଟରକୁ ୫ଦିନିଆ ସଟ୍ ଡାଉନ୍ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଗୁରୁବାର ଏହାର ପ୍ରଥମଦିନରେ ଜିଲ୍ଲା ପ୍ରଶାସନର ଅନୁରୋଧକୁ ରକ୍ଷାକରି ଗଞ୍ଜାମବାସୀ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଞ୍ଚଳ, ୫ଟି ବ୍ଲକ୍ ଯଥା ଜଗନ୍ନାଥପ୍ରସାଦ, ଧରାକୋଟ, ପାତ୍ରପୁର, ଶେରଗଡ ଓ ସାନଖେମୁଣ୍ଡି ବ୍ଲକ୍ର ହେଡ୍କ୍ୱାଟର ମଧ୍ୟ ସଟ୍ ଡାଉନ୍ ରହିଛି । ଏହାର ପ୍ରଥମଦିନରେ ଉପରକ୍ତ ଅଞ୍ଚଳର ଲୋକଙ୍କ ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହୋଇଛି । ସ୍କ୍ରିନିଂ ଟେଷ୍ଟ ପାଇଁ ୨୦୦ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ଜଣେ ଜଣେ ଡାକ୍ତର ଓ ୨ଜଣ ଅଙ୍ଗନୱାଡି କର୍ମୀ ରହିଛନ୍ତି । ଏହି ଟିମ୍ ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ ଟେଷ୍ଟ ଆରମ୍ଭ କରିଛନ୍ତି । ଏହି ୨୦୦ଟି ଟିମ୍ ମଧ୍ୟରୁ ୧୦୦ଟି ଟିମ୍ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସ୍କ୍ରିନିଂ ଆରମ୍ଭ କରିଛନ୍ତି । ଆଉ ବଳକା ୧୦୦ଟି ଟିମ୍ ଗଞ୍ଜାମର ୧୭ଟି ସହରାଞ୍ଚଳ ସମେତ ଉପରକ୍ତ ୫ଟି ବ୍ଲକ୍ ହେଡ୍ କ୍ୱାଟରରେ ସ୍କ୍ରିନିଂ କରିବ । ଏହି ଅଭିଯାନକୁ ଶୀଘ୍ର ସମାପନ କରିବା ପାଇଁ ୨୦୦ଟି ସ୍ୱାସ୍ଥ୍ୟ ଟିମ୍ ନିୟୋଜିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ୪୦ଟି ୱାର୍ଡର ୭୨ହଜାର ପରିବାରର ୪ଲକ୍ଷ ଜନସାଧାରଣଙ୍କ ପାଇଁ ୧୦୦ଟି ସ୍ୱାସ୍ଥ୍ୟ ଟିମ୍ ଓ ହିଞ୍ଜିଳି ମ୍ୟୁନସିପାଲଟି ସମେତ ୧୭ଟି ସହରାଞ୍ଚଳର ୨୬୧ଟି ୱାର୍ଡର ୫୯୨୨୦ ପରିବାରର ୩ଲକ୍ଷ ୬ହଜାର ୨୯୧ଲୋକଙ୍କ ପାଇଁ ବାକି ୧୦୦ଟି ଟିମ୍ ନିୟୋଜିତ କରାଯାଇଥିବା ଜଣାପଡିଛି । ପ୍ରଥମଦିନରେ ହୋଇଥିବା ସ୍କ୍ରିନିଂକୁ ଜନସାଧାରଣ ସ୍ୱାସ୍ଥ୍ୟ ଟିମ୍କୁ ସହଯୋଗକରି ନିଜ ରୋଗର ସବିଶେଷ ତଥ୍ୟ ଦେବାସହ କରୋନା ଲକ୍ଷଣ ଥିଲେ ସମସ୍ତ ତଥ୍ୟ ଦେଉଥିବା ଜଣାପଡିଛି । ଏପଟେ ଜିଲ୍ଲାରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହୋଇଛି । ପ୍ରତି ବ୍ଲକ୍ରେ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖୋଲାଯାଇ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ଗୁରୁବାର ଦିନ ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ପ୍ରବେଶପଥକୁ ସିଲ୍ କରାଯାଇଛି । ସବ୍ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଓ ସରକାରୀ କାର୍ଯ୍ୟରେ ଯାଉଥିବା ଲୋକେ ପାସ୍ଧାରୀଙ୍କୁ ହିଁ ଜିଲ୍ଲା ବାହାରକୁ ଛଡାଯାଉଛି । ସେପଟେ ଖୋର୍ଦ୍ଧା-ଗଞ୍ଜାମ ପ୍ରବେଶପଥରେ କଡାକଡି ଯାଞ୍ଚ କରାଯାଉଛି । ବ୍ରହ୍ମପୁର ସହରକୁ ପ୍ରବେଶ କରୁଥିବା ସମସ୍ତ ପ୍ରବେଶପଥକୁ ସିଲ୍କରି ପୋଲିସ କଡାକଡି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ହୁ ହୁ ହୋଇ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣକୁ ଚେକ୍ ଦେବା ଲାଗି ଏହି ୫ଦିନିଆ ସଟ୍ ଡାଉନ୍ ସହାୟକ ହେବ ବୋଲି କୁହାଯାଉଛି ।