
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ପ୍ରଥମେ ପୌରାଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପରେ ଗୋଟିଏ ଗୋଟିଏ ପଞ୍ଚାୟତ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ହେଉଛି । ସ୍ଥାନୀୟ ଅଞ୍ଚଳରେ ଯେତେ ପରିମାଣରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେ ଅନୁସାରେ କରୋନାଜନିତ ମୃତକ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏହା ଆଗାମୀ ଦିନରେ ପ୍ରଶାସନକୁ ନିଶ୍ଚିତ ଚିନ୍ତାରେ ପକାଇବ ବୋଲି ଆଶଙ୍କା ପ୍ରକାଶ ପାଉଛି । ପ୍ରଶାସନ ପକ୍ଷରୁ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆଇଆଇସି ଅଭିମନ୍ୟୁ ଦାସ,ତହସିଲଦାର ଗୋପୀନାଥ କୁଅଁର ଡାକବାଜି ଯନ୍ତ୍ର ସାହାଯ୍ୟରେ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶିକିରି ପଞ୍ଚାୟତକୁ ଆଜି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧିଙ୍କ ସ୍ଵାମୀ ଆକ୍ରାନ୍ତ ହୋଇ ପ୍ରଥମେ ହିଞ୍ଜିଳି କୋଭିଡ୍ କେୟାର ସେଣ୍ଟର ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ଶିକିରିରେ ଗୋଟିଏ ପରେ ଗୋଟିଏ ମାମଲା ସାମନାକୁ ଆସିଥିବାରୁ ଶେଷରେ ଉକ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି । ବଡଖଣ୍ଡି, ବୁରୁପଡା ଭଳି ଅନେକ ପଞ୍ଚାୟତ ମଧ୍ୟ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି । ହିଞ୍ଜିଳିକାଟୁ ଅଞ୍ଚଳର ସଂକ୍ରମିତ ହେଇଥିବା ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିବା ପାଇଁ ସାଧାରଣ ଦାବୀ ହେଉଛି ।