ବ୍ରହ୍ମପୁର: ଏମ୍କେସିଜି ବଡ ଡାକ୍ତରଖାନାରୁ ନବଜାତ ଶିଶୁପତ୍ର ନିଖୋଜ ଘଟଣାରେ ବୁଧବାର ମା’ର ରକ୍ତ ନମୁନା ସଂଗ୍ରହ କରାଯାଇଛି । ଡିଏନ୍ଏ ପରୀକ୍ଷା ପାଇଁ ନମୁନା ସଂରକ୍ଷିତ ରଖାଯାଇଥିବା ବୈଦ୍ୟନାଥପୁର ଥାନାଧିକାରୀ ସାରଦାପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି । ବଡ ଡାକ୍ତରଖାନାରୁ ନିଖୋଜ ହୋଇଥିବା ଶିଶୁ ରମ୍ଭା ହାଟରୁ ମିଳିଥିବା ବେଳେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା । ଡିଏନ୍ଏ ପରୀକ୍ଷା ପାଇଁ ଶିଶୁର ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଆଜି ମା’ର ନମୁନା ସଂଗ୍ରହ କରାଯାଇଛି । ଗତ ମେ ମାସ ୧୮ତାରିଖରେ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ବଡ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା । ମହିଳାଜଣକ ଏକ ଶିଶୁପତ୍ର ଜନ୍ମ ଦେଇଥିଲେ । ରାତିରେ ହଠାତ୍ ମହିଳାଜଣକ ନବଜାତ ଶିଶୁକୁ ଧରି କୁଆଡେ ଚାଲିଯାଇଥିଲେ । ଚାଇଲ୍ଡ ଲାଇନ୍ ଘଟଣାର ତଦନ୍ତ କରି ଶିଶୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ କରିଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଏତଲାକ୍ରମେ ବୈଦ୍ୟନାଥପୁର ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା । ଶିଶୁ ନିଖୋଜ ଘଟଣାର ଦିନକ ପରେ ରମ୍ଭା ହାଟରୁ ଏକ ଶିଶୁପୁତ୍ର ମିଳିଥିଲା । ସେହି ଶିଶୁପୁତ୍ର ହିଁ ନିଖୋଜ ଶିଶୁ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ଜଣେ ଆଶା ଓ ଦଲାଲଙ୍କ ଜରିଆରେ ଶିଶୁକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଛି । ଶିଶୁଟି ଗୁରୁତର ଥିବାରୁ ତାକୁ ରମ୍ଭା ହାଟରେ ଛାଡି ସେମାନେ ଚାଲି ଯାଇଥିବା ପୋଲିସ ତଦନ୍ତରେ ଜଣାପଡିଥିଲା । ପୋଲିସ ସମ୍ପୃକ୍ତ ଆଶା ଓ ଦଲାଲଙ୍କୁ ଜେରା କରିବା ପରେ ସେମାନେ ଘଟଣାକୁ ସ୍ୱୀକାର କରିବା ସହିତ ଶିଶୁକୁ ଚିହ୍ନଟ କରିଥିଲେ । ଅନ୍ୟପଟେ ସମ୍ପୃକ୍ତ ଶିଶୁର ଅନ୍ୟ କେହି ଦାବିଦାର ଆସିନାହାଁନ୍ତି । ତଥାପି ଆଇନ୍ଗତ ପ୍ରମାଣ ପାଇଁ ଡିଏନ୍ଏ ପରୀକ୍ଷା ନିମନ୍ତେ ପୋଲିସ କୋଦଳାର ସମ୍ପୃକ୍ତ ମହିଳା ଓ ରମ୍ଭାରୁ ଉଦ୍ଧାର ହୋଇଥିବା ଶିଶୁର ନମୁନା ସଂଗ୍ରହ କରିଛି । ଆବଶ୍ୟକସ୍ଥଳେ କୋର୍ଟଙ୍କ ଅନୁମତିକ୍ରମେ ଡିଏନ୍ଏ ପରୀକ୍ଷା କରାଯିବ ବୋଲି ପୋଲିସ କହିଛି ।