ବ୍ରହ୍ମପୁର: ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ସିଲ୍ କରାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍କରି ସୂଚନା ଦେଇଛନ୍ତି । ଜିଲ୍ଲାର କାହାକୁ ମଧ୍ୟ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ, ମେଡିକାଲ୍ ଓ ସରକାରୀ କର୍ମଚାରୀମାନେ ନିଜ ଅଧିକାରୀଙ୍କ କାଗଜପତ୍ର ଦେଖାଇ ସବ୍ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖରୁ ଅନୁମତି ଆଣି ଯାଇପାରିବେ ବୋଲି ମଧ୍ୟ ଅନ୍ୟଏକ ଟ୍ୱିଟ୍କରି ସୂଚନା ଦେଇଛନ୍ତି । ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ସଂକ୍ରମଣ ରୋକିବା ଲାଗି ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ସଟ୍ ଡାଉନ୍ ଥିବାବେଳେ ଘର ଘର ବୁଲି ଲୋକଙ୍କ ସ୍କ୍ରିନିଂ କରାଯାଉଛି । ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି । ସେପଟେ ୨୪ଘଣ୍ଟା ପୂର୍ବରୁ ସ୍ୱାସ୍ଥ୍ୟଜନୀତ କାରଣ କିମ୍ବା ସରକାରୀ କାର୍ଯ୍ୟରେ ବାହାରକୁ ଯିବା ପାଇଁ ଯେଉଁ ବ୍ୟକ୍ତି ବିଶେଷ ଚାହିଁବେ ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପଜିଲ୍ଲାପାଳଙ୍କ ଇ-ମେଲ୍ରେ ଗସ୍ତ ସମ୍ବନ୍ଧୀୟ ପ୍ରମାଣପତ୍ର ସହ ଆବେଦନକଲେ ତୁରନ୍ତ ପାସ୍ ଇ-ମେଲ୍ ଯୋଗେ ହିଁ ପାସ୍ ପ୍ରଦାନ କରାଯିବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।