-
ଡାକ୍ତରଙ୍କ ଠାରୁ ହ୍ୱାଟ୍ସପ୍ ଓ ଭିଡିଓ କଲିଂ ଜରିଆରେ ପରାମର୍ଶ ନେଇପାରିବେ ରୋଗୀ
ବ୍ରହ୍ମପୁର:ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ଲାଗି ବ୍ରହ୍ମପୁର ଏମ୍କେସିଜି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଓପିଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରଖିôବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏଥିଲାଗି ବ୍ରହ୍ମପୁର ଏମ୍କେସିଜିର ମୁଖ୍ୟ ପ୍ରବେଶପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶପଥ ବନ୍ଦ କରିବା ଲାଗି ବ୍ୟାରିକେଟ୍ ତିଆରି କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଠିକ୍ ସେହିପରି ମେଡିକାଲ୍ କ୍ୟାମ୍ପସର ମୁଖ୍ୟ ପ୍ରବେଶପଥରେ ଅଧିକ ସଂଖ୍ୟକ ପୋଲିସ ମୁତୟନ କରିବାକୁ ବ୍ରହ୍ମପୁର ଏସ୍ପିକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ହସ୍ପିଟାଲ କର୍ମଚାରୀ ଓ ଗୁରୁତର ରୋଗୀଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଇଛି । ହସ୍ପିଟାଲ ପରିସରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ବଜାଇ ରଖିବା ସହ ରୋଗୀଙ୍କ ସହ କେବଳ ଜଣେ ଆଟିଡେଣ୍ଟକୁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି । ମେଡିକାଲ୍ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶଙ୍କାରେ ସାଧାରଣ ରୋଗୀଙ୍କୁ ରୁଟିନ ଓପିଡିକୁ ଯିବାକୁ ବାରଣ କରାଯାଇଛି । ଏଥିପାଇଁ ରୋଗୀମାନଙ୍କୁ ଟେଲି ମେଡିସିନ ମାଧ୍ୟମରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ଏଥିପାଇଁ ୪୦ଜଣିଆ ଡାକ୍ତରଙ୍କ ଏକ ତାଲିକା ଏବଂ ମୋବାଇଲ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ରୋଗୀମାନେ ଡାକ୍ତରଙ୍କ ଠାରୁ ହ୍ୱାଟସପ୍ ଓ ଭିଡିଓ କଲିଂ ଜରିଆରେ ପରାମର୍ଶ ଗ୍ରହଣ କରିପାରିବେ । ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶନାମାରେ ଚେତାବନୀ ଦେଇଛନ୍ତି ।