ଜୟପୁର – କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୋଲିସ ପକ୍ଷରୁ ଆଜି ଜଣେ ଆରଟିଓ ଦଲାଲ୍ କୁ ଗିରଫ କରିବା ସହ ତା ନିକଟରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ନେଇ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝି ଅାଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ମୋ ସରକାର ମାଧ୍ୟମରେ ସମସ୍ତ କାର୍ଯ୍ୟାଳୟରୁ ଦଲାଲ ମୁକ୍ତ କରି ଲୋକଙ୍କୁ ସିଧାସଳଖ ସୁବିଧା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି। ତାହାକୁ ଆଧାର କରି ବୋରିଗୁମ୍ମା ପୋଲିସ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ବୋରିଗୁମ୍ମା ନବରଙ୍ଗପୁର ରୋଡ ସ୍ଥିତ ପାଇଲୁ କମ୍ପ୍ଲକ୍ସରେ ଥିବା ଏକ ଆରଟିଓ ଦଲାଲର କାର୍ଯ୍ୟାଳୟ ଉପରେ ଚଢ଼ଉ କରିଥିଲେ। ସେଠାରୁ ଅନେକ ଗାଡି କାଗଜ ପତ୍ର ସହ 27 ଡ୍ରାଇଭିଂ ଲାଇସେନ୍ସ ,83 ଟି ଆର ସି ବୁକ, 25ଟି ନକଲି ଆରସି ବୁକ୍ ସହ ସମ୍ପୃକ୍ତ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦଲାଲ ଜଣକ ବୋରିଗୁମ୍ମାର ଶ୍ରୀନିବାସ ପଟ୍ଟନାୟକ । ସେ ଦୀର୍ଘ ବର୍ଷ ବର୍ଷ ଧରି ବୋରିଗୁମ୍ମାରେ ଏକ କାର୍ଯ୍ୟାଳୟ ଖୋଲି ଆରଟିଓ ନାମରେ ଦଲାଲି କରି ଅନେକ ଲୋକଙ୍କୁ ଠକି ଆସୁଥିବାବେଳେ ତା ନାମରେ ବୋରିଗୁମ୍ମା ଥାନାରେ ଠକେଇ ଅଭିଯୋଗ ହୋଇଥିଲା। ତାହାକୁ କେନ୍ଦ୍ର କରି ପୋଲିସ ତାକୁ ଗିରଫ କରିଛି ଏବଂ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବା ନେଇ ସୂଚନା ଦେଇଛି ପୋଲିସ ।