-
ଶିବିରରୁ ୩୮ ୟୁନିଟ୍ ରକ୍ତ ସଂଗୃହୀତ
ବାଲେଶ୍ଵର, ୭/୭: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ପରିଖି ଗ୍ରାମରେ ‘ଜୀବନ ବିନ୍ଦୁ’ ଆନୁକୂଲ୍ୟରେ ଗତକାଲି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମର ନଗର ସଂଯୋଜକ ସଲିମ ରାଜାଙ୍କ ତତ୍ୱାବଧାନରେ ଉକ୍ତ ଶିବିରଟି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଯୋଗ ଦେଇ ରକ୍ତଦାତା ମାନଙ୍କର ଉତ୍ସାହ ବଢାଇବା ସହ ରକ୍ତ ଅଭାବରେ ଯେମିତି କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ବୋଲି ନିଜ ମନ୍ତବ୍ୟରେ ଗଣମାଧ୍ୟମକୁ ଜଣାଇଥିଲେ।
ଶିବିରକୁ ସୁନୀଲ କୁମାର ସେଠି, ସଞ୍ଜୟ କୁମାର ଜେନା, ନମାନ ଅଲି ଖାନ, ଶେଖ୍ ଶିରାଜ, ସଦାନନ୍ଦ କର, ସମ୍ଭବ ଅଗସ୍ତି, ଜଗନ୍ନାଥ ଦଳାଇ, ବାପି ଭୁୟାଁ, ସେନାପତି ସାର ପ୍ରମୁଖ ପରିଚାଳନା କରିଥିବା ବେଳେ ଶେଖ୍ ରହିଦ, ଶେଖ୍ ସରିଫ, ଶେଖ୍ ରେହେମାନ୍, ଵର୍କତ ମଲିକ ତଥା ଅନ୍ୟମାନେ ରକ୍ତଦାନ କରି ଶିବିରକୁ ସଫଳ କରାଇଥିଲେ।
ଶିବିରରେ ମୋଟ ୩୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
କୋରୋନା ମହାମାରୀଙ୍କୁ ପ୍ରାଧାନ୍ୟ ଦେଇ ସାମାଜିକ ଦୂରତା ବଜାୟ ରଖିବା ସହ ସମସ୍ତ ରକ୍ତଦାତାଙ୍କୁ ମାସ୍କ, ସାନିଟାଇଜର ଓ ଥରମାଲ ସ୍କାନିଂର ସୁବିଧା ମଧ୍ୟ ଯୋଗାଇ ଦିଆ ଯାଇଥିଲା। ଶେଷରେ ନଗର ସଂଯୋଜକ ସଲିମ ରାଜା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ପ୍ରସଂଶା କରିବା ସହ ଆଗାମୀ ଦିନରେ ମଧ୍ୟ ଏମିତି ଜନହିତକର କାର୍ଯ୍ୟକ୍ରମ ଜାରିରହିବ ବୋଲି ଗଣମାଧ୍ୟମକୁ ଅବଗତ କରାଇଥିଲେ।