
-
ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କଲେ ଉଦଘାଟନ
-
ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ବିସିଜେଡି କଲେ ସାକାର
ବାଲେଶ୍ଵର, ୬/୭ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଆଜି ବାଲେଶ୍ୱର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବାଲେଶ୍ୱର ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ର ଏହାର ନେତୃତ୍ଵ ନେଇଥିଲେ। ଏହି ଶିବିର ଜିଲ୍ଲା ସାଧାରଣ ସମ୍ପାଦକ କିରଣ କୁମାର ନାଥଙ୍କ ପରିଚାଳନାରେ ଆୟୋଜିତ ହୋଇ ପ୍ରାୟ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।
ବାଲେଶ୍ୱରର ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଶିବିରରେ ବାଲେଶ୍ୱର ମ୍ୟୁନିସିପାଲିଟିର ପୂର୍ବତନ ଉପ-ନଗରପାଳ ମନୋଜ କୁମାର ରାଉତ, ଜିଲ୍ଲା ରକ୍ତ ଭଣ୍ଡାରର ମୁଖ୍ୟ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିସିଜେଡିର ଜିଲ୍ଲା ମହାସଚିବ କୁଶାଲ ଚାଟାର୍ଜୀ, ଟାଉନ୍ ସଭାପତି ବ୍ରଜକିଶୋର ପ୍ରଧାନ, ମନୋରଞ୍ଜନ ମହାରଣା, ଶିବଶଙ୍କର ଦାସ, ପ୍ଲାବନ ଦାସ, ସୁଶୀଲ ପଣ୍ଡା, ସବ୍ୟସାଚୀ ମହାନ୍ତି, ସାଜିଦ କାଦ୍ରି, ରାହୁଲ ନାୟକ, ଦୀନବନ୍ଧୁ, ରାଜା, ଧିରେନ, ସୋନାଲି, ରତ୍ନାକର, ଶିବୁ, ଜିତୁ, କମଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଗାମୀ ଦିନମାନଙ୍କରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଏହିଭଳି ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ବିସିଜେଡି ସଭାପତିଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ଯେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକ ଆଗ୍ରହ ଯୋଗୁ ରକ୍ତଦାନ ଶିବିରମାନ ଆୟୋଜନ ହେବା ସହ ଏହା ବାଲେଶ୍ଵରରେ ବିସିଜେଡି ପକ୍ଷରୁ ରେକର୍ଡ ସଂଖ୍ୟକ ବୋଲି କୁହାଯାଉଛି।