ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରରେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ ଏହାକୁ ରୋକିବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସିପିଏମ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏକ ପ୍ରେସ୍ ଇସ୍ତାହାର ଜରିଆରେ ସିପିଆଇ(ଏମ୍) ପକ୍ଷରୁ କୁହାଯାଇଛି ଯେ, ସାରା ରାଜ୍ୟରେ କରୋନା ସଂକ୍ରମଣରେ ଗଞ୍ଜାମ ଜିଲ୍ଲା ପ୍ରଥମ ତାଲିକାରେ ରହିଥିବା ବେଳେ ଏଠି ମୃତ୍ୟୁହାର ସଂଖ୍ୟା ମଧ୍ୟ ଏକ ନମ୍ବରରେ ରହିଛି । ତଥାପି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣକୁ ପ୍ରତିହତ କରିବା କ୍ଷେତ୍ରରେ ଯେତେ ପରିମାଣରେ ପ୍ରଚାର ହେଉଛି ତା ତୁଳନାରେ କାମ ଆଖି ଦୃଶିଆ ହେଉନାହିଁ ବୋଲି ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି । ହୋଟେଲ ମେ଼ ଫେୟାରରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଏବଂ କୋଭିଡ ହସ୍ପିଟାଲରେ ଚରମ ଅବ୍ୟବସ୍ଥା କ୍ଷେତ୍ରରେ ଭିଡିଓ ଭାଇରାଲ ପ୍ରମାଣ କରୁଛି ଯେ, ବଡବଡିଆଙ୍କ ପ୍ରତି ନରମ ମନୋଭାବ ପ୍ରଦର୍ଶନ କରିଥିବା ବେଳେ ସାଧାରଣ ଲୋକଙ୍କୁ ଭୟଭୀତ କରାଇ ମନଇଛା ଜୋରିମାନା ଆଦାୟ ହେଉଛି ବୋଲି ପାର୍ଟି ଅଭିଯୋଗ କରିଛି । ଗଞ୍ଜାମ ଜିଲ୍ଲାରେ କୋଭିଡ ନିୟମକୁ କଡାକଡି ଭାବେ ଲାଗୁ କରିବା ସହ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଘୋଷଣା କରାଯାଇଥିବା କାର୍ଯ୍ୟକ୍ରମଗୁଡିକୁ ଦୃଢ଼ତାର ସହିତ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବା ସହିତ କୋଭିଡ ହସ୍ପିଟାଲରେ ରୋଗୀ ସେବା କ୍ଷେତ୍ରରେ ଦେଖା ଦେଇଥିବା ଚରମ ଅବ୍ୟବସ୍ଥା କ୍ଷେତ୍ରରେ ସୁଧାର ଆଣିବା ପାଇଁ ପଦକ୍ଷେପ ନେବାକୁ ପାର୍ଟି ଦାବି କରିଛି । ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ସାହିରେ କମିଟି ଗଠନ କରାଯାଇ କୋଭିଡ ସଂକ୍ରମଣକୁ ରୋକିବା ଏବଂ ଏହାର ପରିଚାଳନା ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କୁ ସାମିଲ୍ କରିବା ପାଇଁ ପ୍ରଶାସନ ଦିଗରେ ପଦକ୍ଷେପ ନେବାକୁ ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବସନ୍ତ ନନ୍ଦ ଓ ଯୁଧିଷ୍ଠିର ବେହେରା ଦାବି କରିଛନ୍ତି ।