ନୂଆଦିଲ୍ଲୀ– ଭାରତ ଏବେ ବିଶ୍ୱର ତୃତୀୟ କରୋନା ପ୍ରଭାବିତ ଦେଶ ହୋଇଛି । ପ୍ରଥମ ସ୍ଥାନରେ ଆମେରିକା ଥିବା ବେଳେ ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ରହିଛି । ପୂର୍ବରୁ ଋଷିଆ ପରେ ଭାରତର ସ୍ଥାନ ଥିଲା । କିନ୍ତୁ ଏବେ ଋଷିଆକୁ ପଛରେ ପକାଇଛି ଭାରତ । ଚଳିତ ସପ୍ତାହରେ ଭାରତରେ କରୋନା ଭାଇରସ ସଂକ୍ରମଣ ହୁହୁ ବଢ଼ିଥିବା ବେଳେ ଏଭଳି ପରିସ୍ଥିତି ଦେଖାଯାଇଛି । ଫଳରେ ତୃତୀୟ ସ୍ଥାନକୁ ପହଞ୍ଚିଛି ।
ସମଗ୍ର ପୃଥିବୀରେ ସୋମବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧ କୋଟି ୧୫ ଲକ୍ଷ ୪୯ ହଜାର ୪୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୩୬ ହଜାର ୪୪୧ ଜଣ ଜୀବନ ହରାଇଛନ୍ତି । କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଏଯାଏଁ ୬୫ ଲକ୍ଷ ୨୭ ହଜାର ୧୦୨ ଜଣ ସୁସ୍ଥ ହୋଇସାରିଛନ୍ତି । ୪୪ ଲକ୍ଷ ୮୫ ହଜାର ୮୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ଗୁରୁତର ରୋଗୀ ହେଉଛନ୍ତି ୫୮ ହଜାର ୫୦୯ ଜଣ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୯ ଲକ୍ଷ ୮୧ ହଜାର ୮୧୫ରେ ପହଞ୍ଚିଛି । ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୪ ହଜାର ୫୮୫ ସଂକ୍ରମିତ ହୋଇଥିବା ବେଳେ ଋଷିଆରେ ୬ ଲକ୍ଷ ୮୧ ହଜାର ୨୫୧ ଜଣ ସଂକ୍ରମିତ ହୋଇଛନ୍ତି ।
ଭାରତ ସରକାରଙ୍କ ଦ୍ୱାରା ଯଦିଓ ଆଜି ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ଜାରି କରାଯାଇ ନାହିଁ ତଥାପି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୬ ଲକ୍ଷ ୯୦ ହଜାର ୩୪୯ ଜଣ ସଂକ୍ରମିତ ହୋଇଛନ୍ତି । ମୋଟ ୧୯ ହଜାର ୬୮୩ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ହପିକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟରେ କୁହାଯାଇଛି ଯେ, ଭାରତରେ କରୋନା ଭାଇରସ ଜନିତ ସଂକ୍ରମିତ ଲୋକଙ୍କ ସଂଖ୍ୟା୬ ଲକ୍ଷ ୭୩ ହଜାର ୧୬୫ ଜଣ । ମାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ସକାଳ ୮ଟାରେ କୁହାଯାଇଥିଲା ଯେ, ଭାରତରେ ୬ ଲକ୍ଷ ୭୩ ହଜାର ୧୬୫ ଜଣ ସଂକ୍ରମିତ ଅଛନ୍ତି ।