ନୂଆଦିଲ୍ଲୀ– ପାକିସ୍ତାନ ପୁଣି ଥରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏଥିରେ ଦୁଇ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏମାନେ ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ରବିବାର ସନ୍ଧ୍ୟାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ । ଭାରତୀୟ ସେନାର ଯବାନମାନେ ପାକିସ୍ତାନ ବିରୋଧରେ କଡ଼ା ଜବାବ ଦେଇଥିଲେ । ନିକିଆଲ ସେକ୍ଟରରେ ହୋଇଥିବା ଏହି ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ପାକିସ୍ତାନ ସେନାର ଜଣେ ସୁବେଦାର ସମେତ ୨ ଜଣ ଯବାନ ନିହତ ହୋଇଥିଲେ । ଆହତ ସୈନିକମାନେ ହେଲେ ରାଖ ଚିକରି, ଦେବା ଓ ବାଗସର ।
ଅସ୍ତ୍ରବିରତି ଉଲ୍ଲଂଘନ ରବିବାର ସନ୍ଧ୍ୟା ୭ଟା ୪୫ରେ ହୋଇଥିଲା । ପାକିସ୍ତାନୀ ସେନା ଦ୍ୱାରା ପଂଛ ଜିଲ୍ଲାର ବାଲାକୋଟ ସେକ୍ଟରରେ ବନ୍ଧୁକ ଓ ମୋର୍ଟାର ସାହାଯ୍ୟରେ ଗୁଳି ମରାଯାଇଥିଲା । ପ୍ରତିରକ୍ଷା ମୁଖପାତ୍ର କଲୋନେଲ ଦେବେନ୍ଦ୍ର ଆନନ୍ଦ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ପୂର୍ବରୁ ପାକିସ୍ତାନ ଶନିବାର ମଧ୍ୟ ପୁଂଛ ଜିଲ୍ଲାର ଦେଗୱାନ ନିକଟ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ପାକିସ୍ତାନ ଚଳିତ ବର୍ଷ ୨୪୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି । ଏହା ଦ୍ୱାରା ଅନେକ ସାଧାରଣ ଜୀବନ ଓ ଧନ କ୍ଷୟକ୍ଷତି ହେଉଛି ।