-
ମାଲକାନଗିରି ଆଦିବାସୀ ମହିଳା ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁରନାବାଳିକା ଦୁଷ୍କର୍ମ ପ୍ରସଙ୍ଗ
ଭୁବନେଶ୍ୱର– ମାଲକାନଗିରି ପୋଲିସ କ୍ୟାଟିଂନରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ବେଆଇନ ଭାବେ ଏକ ସରକାରୀ ମେଡିକାଲରେ ଗର୍ଭପାତ କରାଇବା ଘଟଣାରେ ବିଜେପି ପ୍ରତିନିଧୀ ଦଳ ଜାତୀୟ ଏସଟି କମିଶନ ଅଧ୍ୟକ୍ଷଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛି ।
ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଗଠିତ ଏହି ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଏହି ଦୁଇଟି ଘଟଣାରେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା, ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କୁ ଦଣ୍ଡିତ କରିବା, ରାଜ୍ୟସରକାର ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା, ଏସସି ଏସଟି ଏଟ୍ରୋସିଟି ଆକ୍ଟ ଅନୁଯାୟୀ ପୀଡିତାଙ୍କୁ କ୍ଷତିପୂରଣ ଦେବା ଏବଂ ପୋଲିସ ଧମକ ଦେଉଥିବାରୁ ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ଆଦି ଦାବୀ କରିଛନ୍ତି ।
ପ୍ରଥମ ଘଟଣାରେ ମାଲକାନଗିରି ପୋଲିସ କ୍ୟାଟିଂନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଦୁଇମାସ ବିତିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏଯାବତ ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇନାହିଁ । ବିଜେପିର ଏକ ପ୍ରତିନିଧୀ ମଣ୍ଡଳୀ ମାନବଧିକାର କମିଶନଙ୍କ ଆଗରେ ଏ ଘଟଣାକୁ ରଖିବା ପରେ ୧୦ ଦିନ ମଧ୍ୟରେ ପୋଷ୍ଟମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବା ଏବଂ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବି ପୋଲିସ ଚୁପ୍ ରହିଛି ।
ସେହିପରି ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପରମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ ରଖି ଯୌନ ଉତ୍ପୀଡନ କରିଆସୁଥିଲେ । ସେହି ଥାନାର ଆଉ ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କର ୪ ବନ୍ଧୁ ମଧ୍ୟ ଦୁଷ୍କର୍ମ କରିଥିଲେ । ପରେ ଥାନାବାବୁ ପୀଡିତା ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖନାରେ ତାଙ୍କର ଗର୍ଭପାତ କରାଇଥିଲେ ।
ଦୁଇ ଦୁଇଟି ଅଭାବନୀୟ ଘଟଣାରେ ଆଦିବାସୀ ମହିଳା ଓ ନାବାଳିକା ପୀଡିତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏସସି ଏସଟି ଆକ୍ଟ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ପରିବାରକୁ ୮.୨୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦିଅନ୍ତୁ ବୋଲି ଦାବି କରିଛି ବିଜେପି ।
ଏହି ପ୍ରତିନିଧୀ ମଣ୍ଡଳୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ ।