ଲକ୍ଷ୍ନୌ– ଉତରପ୍ରଦେଶର କାନପୁର ଏନକାଉଂଟରରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କୁଖ୍ୟାତ ଅପରାଧୀ ବିକାଶ ଦୁବେ ଉପରେ ୨.୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ସୋମବାର ପୋଲିସ ମହାନିର୍ଦ୍ଦେଶକ ହିତେଶ ଚନ୍ଦ୍ର ଅବସ୍ତି ଏହି ଘୋଷଣା କରିଛନ୍ତି । ରାଜ୍ୟ ଆଇନ ଶୃଙ୍ଖଳା ପାଇଁ ଏକ ଆହ୍ୱାନ ପାଲଟିଥିବା ବିକାଶକୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତ୍ୱ ଦେଇଛନ୍ତି ।
୮ ପୋଲିସ୍ ସହୀଦ ହେବା ପରେ ବିକାଶ ଦୁବେଙ୍କୁ ଗିରଫ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ରାଶି ରଖାଯାଇଥିଲା । ଏହା ପରେ, ୨୪ ଘଂଟା ପରେ, ଏହି ପରିମାଣକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ୬୦ରୁ ଅଧିକ ଅପରାଧରେ ଜଡ଼ିତ ଥିବା ବିକାଶ ଦୁବେ ଗୁରୁବାର ରାତିରେ ବିକରୁ ଗାଁରେ ଲୁଚିଥିବା ଖବର ମିଳିବା ପରେ ପୋଲିସ୍ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ତେବେ ବିକାଶ ଜେସିବିକୁ ଆଗରେ ଥୋଇ ପୋଲିସ୍ ଗାଡ଼ିକୁ ଅଟକାଇ ଦେଇଥିଲା । ପୋଲିସ ଟିମ୍ ଗାଡ଼ିରୁ ଓହ୍ଲାଇବା ପରେ ଛାତ ଉପରୁ ହିଁ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ୮ ଜଣ ପୋଲିସ୍ ସହିଦ ହୋଇଥିଲେ ।