ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରୁ ପୁଣି ଜଣେ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶପରେ ତାଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ପଠାଯାଇଛି । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଆଜି ପର୍ଯ୍ୟନ୍ତ ମୋଟ ୧୫ଜଣ ଅନ୍ତେବାସୀ କରୋନା ପଜିଟିଭ ହୋଇସାରିଲେଣି । ପାଟପୁର ଥାନା ଆଡପଡା ଅଞ୍ଚଳରୁ ଏକ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଶନିବାର ପଜିଟିଭ ହୋଇଥିଲେ । ରବିବାର ପଜିଟିଭ ଚିହ୍ନଟ ହୋଇଥିବା ଅଭିଯୁକ୍ତ ଜଣକ କାଳୁପାତ୍ର ସାହିର ହୋଇଥିବା ବେଳେ ସେ ଗଞ୍ଜେଇ କାରବାରରେ ସଂଶ୍ଲିଷ୍ଟ ହୋଇ ଗିରଫ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରଶାସନର ଏକ ଟିମ୍ ଗତ ୩୦ତାରିଖ ଦିନ ବଡ ବଜାର ଇଲାକାରେ ଯାଞ୍ଚ କରୁଥିଲା । ଏହି ସମୟରେ ଜଣେ ବାଳକ ବ୍ୟାଗ୍ରେ କିଛି ସାମଗ୍ରୀ ଧରି ଯାଉଥିଲା । ଯାଞ୍ଚ ପରେ ସେଥିରୁ ସିଗାରେଟ୍ ପ୍ୟାକେଟ୍ ଜବତ ହୋଇଥିଲା । ଗଞ୍ଜେଇ ଗନ୍ଧ ହେବାରୁ ପ୍ରଶାସନିକ ଟିମ୍କୁ ସନ୍ଦେହ ହୋଇଥିଲା । ସିଗାରେଟ୍ ବାହାର କରି ଦେଖିବା ବେଳେ ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା । ଏ ସମ୍ପର୍କରେ ସମ୍ପୃକ୍ତ ବାଳକଙ୍କୁ ପଚରିବାରୁ କାଳୁପାତ୍ର ସାହିରୁ ଏହି ଗଞ୍ଜେଇ ସିଗାରେଟ୍ ଆଣିଥିବା କହିଥିଲା । ସେନେଇ ପ୍ରଶାସନ ଓ ଅବକାରୀ ବିଭାଗର ଟିମ୍ କାଳୁପାତ୍ର ସାହିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ । ତାଙ୍କ ଘରେ ଚଢ଼ାଉ ବେଳେ ପ୍ରଶାସନ, ଅବକାରୀ ବିଭାଗର ବହୁ ଅଧିକାରୀ ଓ କିଛି ସାମ୍ବାଦିକ ସମ୍ପୃକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ କୋର୍ଟ ଚାଲାଣ ପୂର୍ବରୁ ତାଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ ରବିବାର ପଜିଟିଭ ଆସିଛି । ଏ ସମ୍ପର୍କରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ କହିଛନ୍ତି ଯେ, ପଜିଟିଭ ନେଇ ଖବର ଆସିଛି । ଆସନ୍ତକାଲି ସ୍ପଷ୍ଟ ରିପୋର୍ଟ ହସ୍ତଗତ ହେବାପରେ ଯେଉଁ କର୍ମଚାରୀଙ୍କ ଲକ୍ଷଣ ଥିବ ତାଙ୍କର ପରୀକ୍ଷା କରାଯିବ ବୋଲି କହିଛନ୍ତି । ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ର କହିଛନ୍ତି ଯେ, ଯେଉଁ କର୍ମଚାରୀମାନେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଆବଶ୍ୟକସ୍ଥଳେ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯିବ ।
Related Stories
November 27, 2024