-
ଥାନାରେ ମାମଲା, ବର ସହ ଦାଦା, ବାପା, ୨ କକା ମୋଟ ୫ଗିରଫ, ଜୋରିମାନା ଆଦାୟ, ୭ଦିନ ପାଇଁ ହୋଟେଲ ସିଲ୍
ବ୍ରହ୍ମପୁର: ବ୍ରହ୍ମପୁର ସହରର ଜଣେ ଜଣାଶୁଣା ହୋଟେଲ ବ୍ୟବସାୟୀଙ୍କ ପୁଅର ବାହାଘରରେ କୋଭିଡ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୋପାଳପୁର ପୋଲିସ ୫ଜଣଙ୍କୁ ଗିରଫ କରିଥିବା ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ହୋଟେଲ୍ ମେ ଫେୟେରକୁ ୭ଦିନ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ବ୍ରହ୍ମପୁର ପୁରୁଣା ବସ୍ଷ୍ଟାଣ୍ଡ ନିକଟସ୍ଥ ହୋଟେଲ ନନ୍ଦନର ମାଲିକଙ୍କ ପୁଅ ଗୋପାଳପୁରସ୍ଥିତ ଏକ ମେ ଫେୟାର ତାରକା ହୋଟେଲରେ ଗତ ୨ତାରିଖ ଦିନ ବିବାହ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ନନ୍ଦନ ହୋଟେଲ ମାଲିକ କୃଷ୍ଣଚନ୍ଦ୍ର ସାହୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଠାରୁ କୋଭିଡ ନିୟମ ଅନୁସାରେ ପୁଅର ବାହାଘର ସମ୍ପୂର୍ଣ୍ଣ କରିବା ପାଇଁ ଅନୁମତି ମଧ୍ୟ ଆଣିଥିଲେ । ବାହାଘର ପୂର୍ବରୁ ବର ସହିତ ତାଙ୍କ ପରିବାର ଲୋକେ ବାଦ୍ୟ ବାଜଣା ବଜାଇ ନୃତ୍ୟ କରିବା, ମୁହଁରେ ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତା ନଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯିବା
ସହ ମେ ଫେୟର ହୋଟେଲକୁ ପ୍ରଶାସନିକ ଅଧିକାରୀମାନେ ଯାଇ ତଦନ୍ତ କରିବା ସହ କୋଭିଡ ନିୟମ ପାଳନ ହୋଇନଥିବା ଅଭିଯୋଗରେ ୫୦ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ସେପଟେ ବରଯାତ୍ରୀରେ ବ୍ୟବହୃତ ୨ଟି ନାମୀଦାମୀ ଗାଡିକୁ ଜିଲ୍ଲା ପରିବହନ ଅଧିକାରୀ ଜବତ କରିଛନ୍ତି । ଏନେଇ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେବାସହ ଜନସାଧାରଣଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନୁରୋଧ କରିବା ସହ ନିଜର ହସ ଖୁସି ପାଇଁ ଅନ୍ୟର ଜୀବନକୁ ବିପଦରେ ନ ପକାଇବାକୁ ପରାମର୍ଶ ଦେଇଛନ୍ତି । ସେପଟେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଟ୍ୱିଟ୍କରି ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ଓ ଥାନାରେ ୫ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି । ଗୋପାଳପୁର ପୋଲିସ ଥାନା କେଶ୍ ନମ୍ବର ୯୫/୨୦ରେ ୧୮୮, ୨୬୯, ୨୭୦ ଆଇପିସି ଆର୍/ଡବ୍ଲ୍ୟୁ ସେକ୍ସନ ୩, ୩୪ ଆଇପିସିରେ ମାମଲା ରୁଜୁକରି ବର ଦୀପକ ସାହୁ ତାଙ୍କ ପିତା ହୋଟେଲ ମାଲିକ କଷ୍ଣଚନ୍ଦ୍ର ସାହୁ ଓ ଦାଦା ଶିବରାମ ସାହୁ, କକା ବିନୋଦ ଓ ସନ୍ତୋଷ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛନ୍ତି ।