ଭୁବନେଶ୍ୱର – ଚଳିତ ବର୍ଷ ବନ୍ଦ ରହିବ ବୋଲବମ୍ ଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରାବଣ ମାସ ସୋମବାରରେ କାଉଡ଼ିଆମାନେ ବିଭିନ୍ନ ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି । ଏସମ୍ପର୍କରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ଅତିରିକ୍ତ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ।
ଶ୍ରୀ ଜେନା କହିଛନ୍ତି ଯେ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଧର୍ମପୀଠ ବନ୍ଦ ରହିବା ସହ ସମସ୍ତ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଶ୍ରାବଣ ମାସ ଆରମ୍ଭ ହେଉଥିବାରୁ ଆସନ୍ତା ସୋମବାର ଠାରୁ ଜଳଲାଗି କରିବାକୁ ବିଭିନ୍ନ ମନ୍ଦିରରେ ଜନସମାଗମ ହେବ ଏବଂ ଏହାଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ତେଣୁ ରାଜ୍ୟର ସମସ୍ତ ଶୈବପୀଠରେ ଜଳଲାଗି ଓ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଯାଇଛି । ଏ ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର କୌଣସି ସ୍ଥାନରେ କାଉଡିଆମାନେ ପାଣି ଉଠାଇ ଶିବମନ୍ଦିରକୁ ନେଇ ପାରିବେ ନାହିଁ । ପୋଲିସ ଓ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରିବେ ।