
ଗଞ୍ଜାମ- ମଦ ବ୍ୟବସାୟକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଶୁ୍କ୍ରବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ ଜଣକର ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ପ୍ରାଥମିକ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରବର୍ତି ସମୟରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଦୀର୍ଘ ଦିନ ହେଲା ସେଠାରେ ମଦ ବିକ୍ରୀ ବିରୋଧୀ ଓ ବିକ୍ରେତାଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଥାନାରେ ଅଭିଯୋଗ ଲାଗି ରହିଥିଲା । ଗତକାଲି ଏହା ଉଗ୍ର ରୂପ ନେଇଥିଲା । ମଦ ବେପାରୀଙ୍କ କେତେକ ସମର୍ଥକ ବିରୋଧୀଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ତେବେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପିଙ୍କୁ ଦାସଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ତାଙ୍କ ସହିତ ତଦନ୍ତ କାର୍ଯ୍ୟରେ ସହାୟତା କରିବା ପାଇଁ ଛତ୍ରପୁର ଏସଡିପିଓ ଗୌତମ କିଶାନ ଏବଂ ରମ୍ଭା ପୋଲିସ ମଧ୍ୟ ପହଂଚିଛି । ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି । ଘଟଣା ପରେ ମଦ ବ୍ୟବସାୟକୁ ବିରୋଧ କରି ପଥରା ମଝିସାହିର ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ମହିଳା ଭେଜିପୁଟ ଫାଣ୍ଡି ସମ୍ମୁଖ ରାସ୍ତା ଅବରୋଧ କରିଥିଲେ । ସେଠାରେ ଧାରଣା ଦେଇଥିଲେ । ପୋଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଘଟଣାରେ ଖଲ୍ଲିକୋଟ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି ।