ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା କ୍ଷେତ୍ରରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଅଭିଯୋଗ କରିଛି ଗଞ୍ଜାମ ଜିଲ୍ଲା ବିଜେପି । ଏନେଇ ଗାନ୍ଧୀନଗରସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି । ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ପଜିଟିଭ ସଂଖ୍ୟା ତୁଳନାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ରାଜ୍ୟର ମୃତ୍ୟୁ ସଂଖ୍ୟାର ୭୫ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାର ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ କ୍ୱରେଣ୍ଟାଇନ୍ରେ ଅବ୍ୟବସ୍ଥା ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତାଳମେଳର ଅଭାବ ଯୋଗୁ ଜିଲ୍ଲା ହସ୍ସ୍ପଟ୍ରେ ପରିଣତ ହୋଇଛି । ବିପଦସଙ୍କୁୂଳ ଭାବେ କାମ କରୁଥିବା କରୋନା ଯୋଦ୍ଧାଙ୍କୁ ନିରାପତ୍ତା ସୁରକ୍ଷା ଦେବାସହ ଅବିଳମ୍ବେ ପିପିଇ କିଟ୍ ପର୍ଯ୍ୟାୟ ମାତ୍ରାରେ ପ୍ରଦାନ କରିବା, ଯୁଦ୍ଧକାଳୀନ ଭିତ୍ତିରେ ଭଞ୍ଜନଗର, ଛତ୍ରପୁର, ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ କୋଭିଡ୍ ହସ୍ପିଟାଲ ନିର୍ମାଣ କରିବା, କରୋନା ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ସର୍ବଜନୀନ କରିବା, ଥର୍ମାଲ ସ୍କ୍ରିନିଂ ପରିବର୍ତ୍ତେ ସେରୋଲୋଜିକାଲି ଟେଷ୍ଟ ତୁରନ୍ତ ଆରମ୍ଭ କରିବା, ସଙ୍ଗରୋଧ ଗୃହରୁ ଫେରିବା ପରେ ପ୍ରବାସୀମାନଙ୍କୁ କାମ ଯୋଗାଇଦେବା, ରାଜ୍ୟରେ ସର୍ବାଧିକ ସଂକ୍ରମତ ଗଞ୍ଜାମ ଜିଲ୍ଲାକୁ ବିଶେଷଭାବେ ଗୁରୁତ୍ୱ ପ୍ରଦାନ କରିବା, ରାଜନୈତିକ ଓ ସାମାଜିକ କର୍ମୀଙ୍କୁ ଏହି ଯୁଦ୍ଧରେ ସାମିଲ୍ କରିବା ପାଇଁ ଦାବି କରିଛି ଜିଲ୍ଲା ବିଜେପି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତିଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
Related Stories
November 23, 2024