ବ୍ରହ୍ମପୁର : ବର୍ତ୍ତମାନ ବ୍ରହ୍ମପୁର ସହରରେ ୬ଟି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ୩୬ରୁ ଉର୍ଦ୍ଧ୍ୱ ସାହିକୁ କରୋନା ବ୍ୟାପିଛି । ସେପଟେ କଣ୍ଟେନ୍ମେଣ୍ଟ ଜୋନରେ ଥିବା ସାହି ଗୁଡ଼ିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଠୋର, ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ । ଗାନ୍ଧିନଗର, ମେଡ଼ିକଲ ନିକଟ ସିଦ୍ଧାର୍ଥ ନଗର ଆଦି ଅଞ୍ଚଳ ବୁଲି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥି ପୂର୍ବରୁ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ ରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ସହରରେ ସାମାଜିକ ଦୂରତା, ମାସ୍କ ପରିଧାନ, ଗାଡ଼ି ଚଳାଚଳ ଉପରେ ରୋକ, ବଜାରରେ ଭିଡ଼ କମାଇବା ଓ ଅମାନିଆଙ୍କୁ ସାବାଡ଼ କରିବା ଦିଗରେ ସ୍ଥାନୀୟ ପ୍ରଶାସନ କଠୋର ହେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।