ପୁରୀ– ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ସଂନ୍ଧ୍ୟା ଧୂପ ପରେ ରଥ ଉପରେ ତିନି ଠାକୁରଙ୍କ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓଡ଼ିଆ ମଠ ପକ୍ଷରୁ ଅଧର ପଣା ପାଇଁ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦିଆଯାଇଥାଏ । ପାଣିଆ ଆପଟ ସେବକ ମାନେ ସିଂହଦ୍ୱାର ସମ୍ମୁଖରେ ଥିବା ଛାଉଣି ମଠ କୂଅରୁ ତିନି ରଥରେ ରଖାଯାଇଥିବା ତିନୋଟି ପିତଳ ହଣ୍ଡାରେ ପାଣି ଆଣି ରଖିବେ । ସେହି ପାଣିରେ ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, ଯାଇଫଳ ଆଦି ମିଶ୍ରିତ ହୋଇ ପଣା ପ୍ରସ୍ତୁତ କରାଯିବ । ମହାସୁଆର ସେବକ ମାନେ ଏହି ପଣା ପ୍ରସ୍ତତି କରିବେ । ପଣା ପ୍ରସ୍ତୁତି ସମୟରେ ମହାପ୍ରଭୁଙ୍କ ଆଗରେ ଜାଲି ଧଳାକନାର ଏକ ଟେରା ବନ୍ଧାଯାଏ । ଅଧରପଣା ହାଣ୍ଡିର ମୁହଁରେ ଜାଲି କରିଆ ବନ୍ଧା ଯାଇଥାଏ । ସେଥିରେ ପଣାକୁ ଢ଼ଳା ଯାଇଥାଏ । ଶ୍ରୀଜୀଉଙ୍କ ଅଧରକୁ ସ୍ପର୍ଶ କରିବା ପର୍ଯ୍ୟନ୍ତ ଏହି ତୁମ୍ବାକୃତ ମାଟି ହାଣ୍ଡିରେ ପଣା ଭୋଗ କରାଯାଇଥାଏ । ଏହାକୁ ଅଧରପଣା ନୀତି କୁହାଯାଏ । ରଥାରୁଢ଼ ଶ୍ରୀଜୀଉମାନଙ୍କ ନିମନ୍ତେ ତିନୋଟି ଲେଖାଏଁ ମୋଟ୍ ନଅଟି ତୁମ୍ବାକୃତ ମାଟି ପାତ୍ରରେ ଏହି ପଣା ଭୋଗ କରାଯିବ । ପୂଜାପଣ୍ଡା ସେବକ ମାନେ ପଚଂ ଉପଚାରରେ ଏହି ଅଧରପଣାକୁ ଠାକୁରଙ୍କୁ ଅର୍ପଣ କରିଥାନ୍ତି । ଅଧରପଣା ଭୋଗ ହେବା ପରେ ପଣା ହାଣ୍ଡି ଗୁଡିକୁ ରଥ ଉପରେ ଭଙ୍ଗା ଯିବାର ପରମ୍ପରା ରହିଛି । ରଥ ଉପରୁ ବୋହି ଯାଉଥିବା ଏହି ପଣାକୁ ପାଇ ପାଶ୍ୱର୍ ଦେବାଦେବୀ ଓ ଚଣ୍ଡି ଚାମୁଣ୍ଡା ମାନେ ସନ୍ତୁଷ୍ଟ ହୋଇଥାନ୍ତି ।
Related Stories
February 6, 2025
February 6, 2025