ପୁରୀ– ଗୁଣ୍ଡିଚା ଯାତ୍ରାର ୧୧ ଦିନ ପରେ ଚତୁର୍ଦ୍ଧାମୂର୍ତି ଶନିବାର ଅପରାହ୍ନରେ ନିଳାଦ୍ରି ବିଜେ କରିବେ । ସଂନ୍ଧ୍ୟା ଧୂପ ପରେ ରଥ ଉପରେ ଚାରମାଳ ବନ୍ଧା ଯାଇ ପ୍ରଭୁଙ୍କ ପହଣ୍ଡି ନିମନ୍ତେ ବ୍ୟବସ୍ଥା କରାଯିବ । ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡ଼ୋରୀ ଲାଗିବ । ପୁଷ୍ପାଳକ ମହାଜନ ମାନେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହାତରେ ଧରି ଶ୍ରୀମନ୍ଦିର ଦକ୍ଷିଣୀ ଘରକୁ ବିଜେ କରାଇବେ । ପରେ ଗୋଟିପହଣ୍ଡିରେ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ରତ୍ନ ସିଂହାସନକୁ ବିଜେ କରିବେ ।
ଏଥି ପୂର୍ବରୁ ମା ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଜୟ ବିଜୟ ଦ୍ୱାରରେ କବାଟ ପକାଇ ଅଟକାଇବେ । ସେଠାରେ ଲକ୍ଷ୍ମୀଙ୍କ ପଟରେ ଥିବା ସେବକ ଓ ଶ୍ରୀ ଜଗନ୍ନାଥଙ୍କ ପଟରେ ଥିବା ସେବକଙ୍କ ମଧ୍ୟରେ ଯୁକ୍ତିତର୍କ ହେବ । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଭୋଗ କରାଯାଇ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପରେ ରତ୍ନ ସିଂହାସନକୁ ବିଜେ କରିବେ ମହାବାହୁ ।