ରାଉରକେଲା– ରାଉରକେଲା ସହରର ମୂଲ୍ୟବାନ୍ ଜମିଗୁଡିକୁ ଜବରଦଖଲକାରୀ ମାନେ ନିଜ ଅକ୍ତିଆରକୁ ନେଇଯାଉଥିଲେ ବି ଜିଲ୍ଲାପ୍ରଶାସନ ବିଗତ ୧୦ ବର୍ଷ ଧରି ନୀରବ ଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ, ରାଉରକେଲା ପାନପୋଷ ଠାରେ ଗୃହସ୍ଥୀ ମସଲା କମ୍ପାନୀ ଦିର୍ଘ ଦିନ ଧରି ୮କୋଟି ଟଙ୍କାର ସରକାରୀ ଜମି ମାଡି ବସିଛି । କମ୍ପାନୀ କର୍ତୃପକ୍ଷ ହାଇକୋର୍ଟଙ୍କ ଆଦେଶକୁ ଭୁଆଁ ବୁଲାଉଥିବା ଏବଂ ସ୍ଥାନୀୟ ପ୍ରଶାସନିକ ବାବୁ ମାନେ ମସଲା କମ୍ପାନୀକୁ ସହଯୋଗ କରିଥିବା ସରକାରୀ କାଗଜପତ୍ର ସହ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରଶ୍ମୀ ରଂଜନ ପାଢୀ ।
ଆରଟିଆଇ ସୂତ୍ରରୁ ସେ ହାସଲ କରିଥିବା ସରକାରୀ ତଥ୍ୟ ଅନୁସାରେ, ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୃହସ୍ଥୀ ମସଲା କମ୍ପାନୀ ପାନପୋଷ ଠାରେ ଦେଢ ଏକର ସରକାରୀ ଜମି ଦଖଲ କରିଛି । ଯାହାର ମୂଲ୍ୟ ୮କୋଟୀ ଟଙ୍କା ହେବ । ଏହି ଜବର ଦଖଲ ଜାଗାରେ ସେ ନିଜର କାରଖାନା ଚଳାଇବା ସହ କାରଖାନାର ସଂପ୍ରସାରଣ ମଧ୍ୟ କରିଚାଲିଛି । ପୂର୍ବତନ ଉପଜିଲ୍ଲାପାଳ ବର୍ତମାନର ବିପିୟୁଟି ରେଜିଷ୍ଟାର ହିମାଂଶୁ ବେହେରା ଏହି ଜବର ଦଖଲକୁ କାହିଁକି ଉଚ୍ଛେଦ କରାନଯିବ ବୋଲି ନୋଟିସ୍ ଦେବା ପରେ ଗୃହସ୍ଥୀ କମ୍ପାନୀ କର୍ତୃପକ୍ଷ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରେ ଏହି ଆଦେଶକୁ ସ୍ଥଗିତ ରଖିବା ସହ ସେହିଯାଗାକୁ କମ୍ପାନୀକୁ ଦେବା ଲାଗି ଆବେଦନ କରିଥିଲେ । ଏହା ପରେ ମାନ୍ୟବର କୋର୍ଟ କମ୍ପାନୀର ରାଉରକେଲା ଜମି ଆବେଦନ କମିଟୀ ପାଖରେ ବିଚାରଧୀନ ଥିବା ଲିଜ୍ କେଶ ନଂ-୧୩/୨୦୧୩ ଓ ୧୪/୨୦୧୪କୁ ୬ ସପ୍ତାହ ଭିତରେ ବିଚାର କରି ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏଲଏସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ୧୩- ୭- ୨୦୧୬ ରେ ବସି କମ୍ପାନୀର ଉଭୟ କେଶ ଆବେଦନକୁ ଖାରଜ କରାଯାଇଥିଲା ।
ଅନ୍ୟପକ୍ଷରେ ଏହି ଜମି ବର୍ତମାନ ଯାଏ ଜବରଦଖଲ ହୋଇ ରହିଥିବା ବେଳେ ରାଉରକେଲାରେ ୧୧୭ଟି ଜବର ଦଖଲ ମାମଲା ସେମିତି ପଡିରହିଛି । କିନ୍ତୁ, ବାବୁ ମାନେ ଆସୁୁଛନ୍ତି ଯାଉଛନ୍ତି ହେଲେ ଉଚ୍ଛେଦ କାମ ଶୁନ । ଯେଉଁଥିଲାଗି ନୂତନ ଜବରଦଖଲ ମଧ୍ୟ ବଢିଚାଲିଛି ।