ବିଭିନ୍ନ ମେଡିକାଲ ଓ ଆରଟିଓ ପରିସରକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ଅଭିଯାନରେ ବାଲେଶ୍ଵର ଟାଉନ ପୋଲିସ 11ଜଣ ଦଲାଲଙ୍କୁ ଗିରଫ କରିଛି ।
ବାଲେଶ୍ବର: ରାଜ୍ୟରେ ବିଭିନ୍ନ ମେଡିକାଲ ଓ ଆରଟିଓ ପରସରକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ଅଭିଯାନରେ ବାଲେଶ୍ଵର ଟାଉନ ପୋଲିସ 6ଜଣ ଦଲାଲଙ୍କୁ ଗିରଫ କରିଛି । ଗୁରୁବାର ରାତିରେ 3ଜଣ ଓ ଆଜି ସକାଳେ ଅନ୍ୟ 3ଜଣ ଦଲାଲଙ୍କୁ ପୋଲିସ ମେଡିକାଲରୁ ଉଠାଇ ନେଇଛି । ସେହିପରି ଶିଳ୍ପାଞ୍ଚଳ ଥାନା ପକ୍ଷରୁ ଆରଟିଓ ଅଫିସରେ ଚଢ଼ାଉ କରି 5ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।
ପ୍ରଥମେ ଆରଟିଓ ଅଫିସରୁ 4 ଜଣ ଦଲାଲଙ୍କୁ ପୋଲିସ ଉଠାଇ ନେବାପରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଦେଖିବାକୁ ମିଳିଥିଲା। ରେମୁଣା ଦୁର୍ଗାଦେବୀ ଅଞ୍ଚଳର ଜଣେ ଛାତ୍ରଙ୍କ ଠାରୁ ଡ୍ରାଇଭିଂ ଲାଇସେନ୍ସ କରାଇବା ନାଁରେ 660 ଟଙ୍କା ନେଇଥିବା ଜଣେ ଦଲାଲ ତାଙ୍କୁ ଅଧିକ ଟଙ୍କା ଦାବି କରି ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି। ଏହାସହ ଦଲାଲ ନିଜକୁ ପୋଲିସ ପରିଚୟ ଦେଇ ଛାତ୍ରଙ୍କୁ ଧମକ ଦେଇଥିବା ମଧ୍ୟ ଛାତ୍ର ଜଣକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ଦଲାଲଙ୍କୁ ପୋଲିସ ଗିରଫ କରିଛି।
ମେଡିକାଲ ଓ ଆରଟିଓରୁ ଦଲାଲ ଗିରଫ ହେଉଥିବା ବେଳେ ଆହୁରି ଅନେକ ଦଲାଲ ସକ୍ରିୟ ଥିବା ଜଣାପଡିଛି। ଅନ୍ୟପଟେ ଯେଉଁମାନେ ଦଲାଲଙ୍କୁ ଟଙ୍କା ଦେଇ ସାରିଛନ୍ତି, ସେମାନେ କିପରି ଡ୍ରାଇଭିଂ ଲାଇସେନ୍ସ ପାଇବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କଡାକଡି ଭାବେ କାର୍ଯ୍ୟକାରୀ ହେଉଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ମେଡିକାଲ ଓ ଆରଟିଓ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।