
ଶ୍ରୀନଗର– ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ପୁଣି ଥରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି । ତ୍ରାଲରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଯବାନମାନଙ୍କୁ ଲକ୍ଷ୍ୟ କରି ଗୁଳି କରିଛନ୍ତି । ଉଭୟ ତରଫରୁ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି ।
ପୋଲିସକୁ ଗୁଇନ୍ଦା ତଥ୍ୟ ଆଧାରରେ ଜାଣିବାକୁ ମିଳିଥିଲା ଯେ, ତ୍ରାଲରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି । ଏହା ପରେ ଯବାନମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରି ଦେଇଥିଲେ । ତ୍ରାଲରେ ବିଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ୨ୟ ଏନକାଉଣ୍ଟର । ସେହିଭଳି ୪୮ ଘଣ୍ଟା ମଧ୍ୟରେ ତୃତୀୟ ଏନକାଉଣ୍ଟର । ଏହା ପୂର୍ବରୁ ମଙ୍ଗଳବାର ବିଜବେହରା ଅଂଚଳରେ ମଧ୍ୟ ଏନକାଉଣ୍ଟର ହୋଇଥିଲା । ସେହିଭଳି ଅନନ୍ତନାଗ ଅଂଚଳରେ ମଙ୍ଗଳବାର ସକାଳୁ ସର୍ଚ୍ଚ ଅପରେଶନ ସମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।