-
ଆୟୋଜକଙ୍କଠାରୁ ଆଦାୟ ହେବ କୋଭିଡ଼ ଖର୍ଚ୍ଚ: ଜିଲ୍ଲାପାଳ
ବ୍ରହ୍ମପୁର:କଠୋର ହେଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ସାମାଜିକ ଦୂରତା ନିୟମକୁ ଉପହାସରେ ପରିଣତ କରିଥିବା ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ ଅନୁଷ୍ଠାନଠାରୁ ଆଦାୟ ହେବ ଜୋରିମାନା । ଏଥର ଜୋରିମାନା ଆଦାୟ ଭିନ୍ନ ଢ଼ଙ୍ଗରେ ହେବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ବିନା ଅନୁମତିରେ କାର୍ଯ୍ୟକ୍ରମ କରୁଛନ୍ତି ସାମାଜିକ, ରାଜନୈତିକ ସଂସ୍ଥା । ଏପରିକି ସାମାଜିକ ଦୂରତା ନିୟମକୁ ଅମାନ୍ୟ କରି ଭିଡ଼ ଜମାଉଛନ୍ତି । ଯେଉଁଥି ପାଇଁ ଗଞ୍ଜାମରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏଣିକି ଏହି କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ଅଥବା ଜଡ଼ିତ ବ୍ୟକ୍ତିବିଶେଷ କରୋନା ପଜିଟିଭ ହେଲେ ଆୟୋଜକକାରୀ ସଂସ୍ଥାଠାରୁ କରୋନା ପରୀକ୍ଷା, ଚିକିତ୍ସା ବାବଦ ଖର୍ଚ୍ଚ ଆଦାୟ କରାଯିବ । ଆହୁରି ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ସହ ଜଡ଼ିତ କୌଣସି ବ୍ୟକ୍ତି କରୋନାରେ ମୃତ୍ୟୁ ହେଲେ ଏହି ମୃତ୍ୟୁ ପାଇଁ ଉକ୍ତ ଆୟୋଜନ ସଂସ୍ଥାକୁ ଦାୟୀ କରାଯିବ ଏବଂ ତାବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ଏନ୍ଏସିର ନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୪୨୪୯ ତା ୨୯.୬.୨୦ରେ ସ୍ପଷ୍ଟ କରିଛନ୍ତି । ତେଣୁ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମାକୁ ତହସିଲ ଓ ବ୍ଳକ ସ୍ତରରେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସୂଚନା ଥାଉ କି ଜିଲ୍ଲାରେ କବିସୂର୍ଯ୍ୟନଗର, ସାନଖେମୁଣ୍ଡି, ପୋଲସରା, ଖଲ୍ଲିକୋଟ ଆଦି ଅଞ୍ଚଳରେ ସାମାଜିକ ଦୂରତାକୁ ନମାନି ବହୁ କାର୍ଯ୍ୟକ୍ରମ ହେବା ଫଳରେ ଲୋକେ ସଂଗଠିତ ହୋଇଥିଲେ । ସେଠାରୁ ପର୍ଯ୍ୟାୟ କ୍ରମେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଅମାନିଆ ଓ ସରକାରୀ ନିୟମ ମାନୁନଥିବା ସଂସ୍ଥା ତଥା ଅମାନିଆମାନେ ନିଜେ ସତର୍କତା ରହିବା ଆବଶ୍ୟକତା ହୋଇପଡ଼ିିଛି । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।