
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ଲଙ୍ଗଳେଶ୍ୱର ପଚାଂୟତର ତିନୋଟି ଗ୍ରାମକୁ କଂଟେନମେଂଟ ଜୋନ୍ ଭାବେ ଓ ୮ଟି ଗ୍ରାମକୁ ବଫର୍ ଜୋନ୍ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଲଙ୍ଗଳେଶ୍ୱର ପଚାଂୟତର ଭେଜିପୁଟରୁ ଦୁଇ ଜଣ ଓ ଲଙ୍ଗଳେଶ୍ୱର ଗ୍ରାମରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାପରେ ଭେଜିପୁଟ, ଲଙ୍ଗଳେଶ୍ୱର, ତେଲିଡ଼ିହ ଗ୍ରାମକୁ କଂଟେନମଂଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏଥିସହ ଲଙ୍ଗଳେଶ୍ୱର ପଚାଂୟତର ନଗରଡିହ ପାଟଣା, କରାପଦର, ପଥରକଟା ଓ କମଳାଦେଇପୁର । ସେହିପରି ବାକୁଟୁ ଗାଁ ପଚାଂୟତର ବାକୁଟୁଗାଁ, ପଥରା ପଚାଂୟତର ପଥରା, ଓଡ଼ିଆ ଆଲପୁର ପଚାଂୟତର ଶ୍ରୀନଳିନାକ୍ଷେ ପୁର ଓ ଗୁରାପଲ୍ଲୀ ଗ୍ରାମକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି । କଂଟେନମେଂଟ ଜୋନ୍ ରେ ଲୋକଙ୍କୁ ଘରୁ ବାହାରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବଫର୍ ଜୋନ୍ ରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟରେ ଲୋକେ ବାହାରକୁ ଯାଇପାରିବେ ବୋଲି କୁହାଯାଇଛି । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କଂଟେନମେଂଟ ଓ ବଫର୍ ଜୋନ୍ ଘୋଷିତ ଅଂଚଳକୁ ସାନିଟାଇଜେସନ କରିବା ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମର ପ୍ରବେଶ ପଥ ଗୁଡିକରେ ଅସ୍ଥାୟୀ ଚେକ୍ ପୋଷ୍ଟ ନିର୍ମାଣ କରି ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
