ବ୍ରହ୍ମପୁର: ବ୍ରହ୍ମପୁର ସହର ସମେତ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରକୁ ୪ଦିନିଆ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ଲକ୍ ଡାଉନ୍ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରାଯାଇଛି । ଏହି ଚେକିଂ ସମୟରେ ଜିଲ୍ଲା ପ୍ରଶାସନକୁ ଏକ ଚୋରା ଗଞ୍ଜେଇ କାରବାରର ସୁରାକ ମିଳିବା ସହ ଏହି ବ୍ୟବସାୟର ପର୍ଦ୍ଦାଫାଶ ହୋଇଛି । ମଙ୍ଗଳବାର ସକାଳେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମାଜିଷ୍ଟ୍ରେଟଙ୍କ ସହ କର୍ମଚାରୀମାନେ ସହରର ବିଭିନ୍ନ ଛକରେ ଚେକିଂ କରୁଥିବା ସମୟରେ ଜଣେ ବାଳକ ଏକ ବ୍ୟାଗ୍ ଭର୍ତ୍ତି ସିଗାରେଟ ଧରି ଯାଉଥିବା ଦେଖିବାକୁ ପାଇଥିଲେ । ପରେ ତାକୁ ପଚରା ଉଚୁରା କରିବା ପରେ ସେଗୁଡିକ ସିଗାରେଟ୍ ନୁହେଁ ବରଂ ସିଗାରେଟକୁ ହଟାଇ ତାରି ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଖୋଳତାଡ କରିବା ପରେ ସହରର କାଳୁ ପାତ୍ର ସାହିରେ ନିରଞ୍ଜନ ସାହୁ(୫୨) ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଆଣିଥିବା ଜଣାପଡିଥିଲା । ପରେ ପ୍ରଶାସନିକ ଅଧିକାରୀମାନେ ପହଞ୍ôଚ ସମ୍ପୃକ୍ତ ଘର ଉପରେ ଚଢ଼ାଉ କରିବା ପରେ ୩୬କେଜିର ଗଞ୍ଜେଇ ଜବତ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।
ଏହା ସହ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ମଧ୍ୟ ଜବତ ହୋଇଛି । ଏନେଇ ବ୍ରହ୍ମପୁର ଅବକାରୀ ବିଭାଗକୁ ଖବର ଦେବାପରେ ଅବକାୀ ବିଭାଗ କର୍ମଚାରୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଚଢ଼ାଉ ଜାରି ରଖିଛନ୍ତି । ସେପଟେ ବେଆଇନ୍ ଗଞ୍ଜେଇ ଗଚ୍ଛିତ କରିଥିବା ବ୍ୟକ୍ତି ଭଡା ସୂତ୍ରରେ ସେହି ଘରେ ରହୁଥିବା ବେଳେ ନିଜ ପରିବାର ଲୋକେ ମଧ୍ୟ ରହି ଆସୁଥିଲେ । ଦୀର୍ଘ ୪ବର୍ଷ ହେଲା ସେ ଏହି ଚୋରା ବ୍ୟବସାୟ କରି ଆସୁଥିବା ବେଳେ ଅସଲି ସିଗାରେଟ୍ ଆଣି ତାରି ଭିତରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରୁଥିଲେ । ନିଜେ ତାକୁ ଘରେ ପ୍ରସ୍ତୁତ କରିବା ପରେ ବଜାରରେ ବିକ୍ରି କରୁଥିବା ବେଳେ ଦିନକୁ ୧୨୦୦ରୁ ୧୫୦୦ଟଙ୍କା ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି । ତେବେ ସହର ମଧ୍ୟରୁ ଦୀର୍ଘଦିନ ଧରି ଏଭଳି ବେଆଇନ୍ ଗଞ୍ଜେଇ କାରବାର ଚାଲିଥିବା ବେଳେ ଅବକାରୀ ବିଭାଗ ସୁରାକ୍ ପାଇ ପାରିନଥିଲା । ଏହାସହ ଏହି ଗଞ୍ଜେଇ ସେ କେଉଁଠାରୁ ଆଣୁଥିଲେ ଓ କିଏ ଯୋଗାଉଥିଲା ସେ ନେଇ ଅଧିକ ତଦନ୍ତକଲେ ଏହି ର୍ୟାକେଟ୍ର ପର୍ଦ୍ଦାଫାଶ ହୋଇପାରିବ । ଅବକାରୀ ବିଭାଗ ଇନ୍ସିପେକ୍ଟର ରୋଶନ ହଂସଦା, ଏସ୍ଆଇ ଶ୍ରୀଧର ମହାନ୍ତି ପ୍ରମୁଖ ପହଞ୍ôଚ ଗଞ୍ଜେଇ ଜବତ କରିବା ସହ ଅବକାରୀ ବିଭାଗ ପିଆର୍ କେଶ୍ ନମ୍ବର ୩୨/୨୦ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଥିବା ଜଣାପଡିଛି ।