
ବେଲଗୁଣ୍ଠା-ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ମାମୁଁର ଠେଙ୍ଗା ମାଡରେ ଭଣଜାର ମୃତ୍ୟୁ ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଶବ ଜବତ କରି ୧୮୨/୨୦ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରିଛନ୍ତି । ଖବରରୁ ଜଣାପଡିଛି ଯେ,ଗାଙ୍ଗପୁର ଥାନା ଅନ୍ତର୍ଗତ ଶାସନ ପଞ୍ଚାୟତର ଆମ୍ବବାଲି ଗ୍ରାମର କୃତିବାସ ଗୌଡ ଓରଫ ପିଣ୍ଟୁ (୨୬) ସୋମବାର ରାତ୍ରରେ ତାର ମାମୁଁ ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ଗୋପାଳ ଗୌଡଙ୍କ ସହ ଫୋନରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା ।ରାତି ୧୧ ଟା ସମୟରେ କୃତିବାସ ଏକ ମୋଟରସାଇକଲରେ ବିଞ୍ଜିଗିରି ଯାଇଥିବା ବେଳେ ମାମୁଁ ଗୋପାଳ ଓ ତାର ଚାରି ପାଞ୍ଚ ଜଣ ସହଯୋଗୀ ମିଶି କୃତିବାସ କୁ ଠେଙ୍ଗା ଓ ଲୁହା ରଡରେ ଆକ୍ରମଣ କରିଥିଲେ ।ଫଳରେ କୃତିବାସର ମୃତ୍ୟୁ ଘଟିଥିଲା ବୋଲି କୃତିବାସ ର ଭାଇ ପିତ୍ତବାସ ଗୌଡ ଥାନାରେ ଏତଲା ଦେବା ପରେ ଥାନା ଏସ୍.ଆଇ ଏସ୍.ଆର୍ ଦିଗାଲ୍ ମାମୁଁ ଗୋପାଳ କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।ଗାଙ୍ଗପୁର ଥାନାଧିକାରୀ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଏକ ରାସ୍ତା କଡରେ ଥିବା ସିମେଣ୍ଟ ମାଇଲ ଖୁଣ୍ଟରେ ଲାଗିଥିବା ରକ୍ତ ଓ କୃତିବାସ ର ବାଇକ୍ କୁ ତଦନ୍ତ ପରିସର ଭୁକ୍ତ କରିଛନ୍ତି ।
କୃତିବାସ କୁ ହତ୍ୟା କରିଥିବା କଥା ତଦନ୍ତରେ ଗୋପାଳ ଅସ୍ୱୀକାର କରିଛି ।ଗୋପାଳ କହିବା କଥା କୃତିବାସ ଗୋପାଳ କୁ ଆକ୍ରମଣ କରିବା ପାଇଁ ଆସିଥିବା ବେଳେ ଗୋପାଳ ଠେଙ୍ଗା ଦ୍ୱାରା କୃତିବାସ କୁ ବାଡେଇଛି ।କୃତିବାସ ନିଜ ମୋଟର ସାଇକେଲ ରେ ଘଟଣା ସ୍ଥଳରୁ ଦୃତ ଗତିରେ ପଳାଇ ଯାଉଥିବା ବେଳେ ମଟର ସାଇକେଲଟି ମାଇଲଖୁଣ୍ଟରେ ଧକ୍କା ଦେଇ ଦୁର୍ଘଟଣା ଗସ୍ତ ହୋଇଥିଲା ।ତାର ମୁଣ୍ଡକୁ ଆଘାତ ଲାଗିବା ଫଳରେ ତାର ମୃତ୍ୟୁ ଘଟିଥିବା ଗୋପାଳ ପ୍ରକାଶ କରିଛି ।ପ୍ରକାଶ ଥାଉକି ,ଉଭୟ ମାମୁଁ ଓ ଭଣଜା ମଧ୍ୟରେ କିଛି ଦିନ ଧରି ଘରୋଇ କଳହ ଲାଗିରହିଥିଲା ।ମୃତ କୃତିବାସ ଡ୍ରାଇଭର କାମ କରୁଥିଲା ଏବଂ ସେ ମାମୁଁ ଗୋପାଳର ଘରେ ୭/୮ ବର୍ଷ ହେବ ରହିଆସୁଥିଲା ।ରହିବା ସମୟ ମଧ୍ୟରେ ଗୋପାଳର ସ୍ତ୍ରୀ ସହ କୃତିବାସର ପ୍ରେମ ସମ୍ପର୍କ ଗଢିଉଠିଥିଲା ।ଏହା ଜଣାପଡିବା ପରେ ଗ୍ରାମରେ ବୈଠକ ବସି ଭଦ୍ର ଲୋକଙ୍କ ଉପସ୍ଥିତରେ ମାଇଁ ଓ ଭଣଜା ଦୁହେଁ ସ୍ୱାମୀ ସ୍ତ୍ରୀ ଭାବେ ରହିବା ପାଇଁ ଜିଦ୍ ଧରିବାରୁ ଭଦ୍ରଲୋକମାନେ ସେଥିରେ ରାଜି ହୋଇଥିଲେ ।ପରେ ମାଇଁ-ଭଣଜା ଉଭୟ ସ୍ୱାମୀ ସ୍ତ୍ରୀ ରୁପେ ଗୋବରାରେ ଏକ ଭଡା ଘରେ ରହିଆସୁଥିଲେ ।କିନ୍ତୁ ଏମାନଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ପାରି ନ ଥିଲା ।ପ୍ରାୟ ଦୁଇମାସ ଏକାଠି ରହିବା ପରେ ଏମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଝଗଡା ହୋଇଥିଲା ।ଫଳରେ ମାଇଁ କୁ ଛାଡି ଭଣଜା କେଉଁଆଡେ ଫେରାର ହୋଇଯାଇଥିଲା ।ମାଇଁ କୃତିବାସକୁ ଖୋଜି ନ ପାଇବା ପରେ ଥାନା ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସାହାଯ୍ୟ ନ ମିଳିବାରୁ ନିଜ ସାତ ବର୍ଷ ର ପୁଅକୁ ନେଇ ମାଇଁ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିବା ଜଣାପଡିଛି ।କୃତିବାସ ମାଇଁ କୁ ନେଇ ଚାଲିଯିବା ପରେ ମାମୁଁ-ଭଣଜା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO