-
ବାଲେଶ୍ବରରେ ବାଲୁକା କଳାର ଅଭିନବ ପରମ୍ପରା : ଶ୍ରୀଜଗନ୍ନାଥ ସଂସ୍କୃତିରେ ନୂତନ ଧାରା
ବାଲେଶ୍ଵର : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ରେମୁଣା ବ୍ଲକ ଅନ୍ତର୍ଗତ କୋଶମ୍ବ ନଗରରେ ରହନ୍ତି ସେ। ରେମୁଣା ମହାବିଦ୍ୟାଳୟର ଯୁକ୍ତଦୁଇ କଳାର ପ୍ରଥମ ବର୍ଷ ଛାତ୍ର। ଶିଶୁ ବାଲୁକାଶିଳ୍ପୀ ଭାବରେ ପରିଚିତ। ନାଁ ତାଙ୍କର ଅଙ୍କିତ ଦାସ। ଚଳିତ ବର୍ଷ ରଥଯାତ୍ରା ଅବସରରେ ପ୍ରତି ବର୍ଷ ପରି ରଥରୁ ବାହୁଡା଼ ପର୍ଯ୍ୟନ୍ତ ନଅ ଦିନ ଧରି ବାଲୁକାରେ ଜଗନ୍ନାଥଙ୍କ ମୂର୍ତ୍ତି ଗଢ଼ି ନିଜଘରେ ଶ୍ରୀଜଗନ୍ନାଥଙ୍କୁ ବାଲିରେ ନୈବେଦ୍ୟ ଅର୍ପଣ କରିଛନ୍ତି ଅଙ୍କିତ। ଚର୍ଚ୍ଚାରେ ରହିଛି ତାଙ୍କର ଏହି ବାଲୁକାଶିଳ୍ପ।
୬ଷ୍ଠ ଓ ୭ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅରଡବଜାରରେ ଏବଂ ୮ମ ରୁ ୧୦ମ ପର୍ଯ୍ୟନ୍ତ ନୀଳଗିରିର ରତ୍ନାକର ଟାଉନ ହାଇସ୍କୁଲରେ ପଢ଼ିବା ବେଳେ ସ୍କୁଲ ଓ ନୀଳଗିରି ବଡ଼ଦାଣ୍ଡରେ ବାଲିରେ ନୈବେଦ୍ୟ ଅର୍ପଣ କରି ଦୃଷ୍ଟି ଆକର୍ଷଣ କରିଥିଲେ ଅନେକଙ୍କର। ଅଙ୍କିତ ବାଲୁକାଶିଳ୍ପ ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ସିସିଆରଟି ଫେଲୋଶିପ୍ ଧାରୀ ଅଟନ୍ତି।
ପ୍ରକାଶ ଥାଉ କି, ଅଙ୍କିତ ବାଲେଶ୍ବରର ଶିଳ୍ପୀ କେଶୁଦାସଙ୍କ ବାଲୁକା କଳାକୁ ବିକଶିତ କରି ଏକ ନୂତନ ପରମ୍ପରା ଯୋଡ଼ିବା ପାଇଁ ୨୦୧୧ରୁ ବାଲୁକା ଶିଳ୍ପୀ ଟୁନା ବେହେରା ସହ ମିଶି ବାଲେଶ୍ବର ସହରର ଗାନ୍ଧୀ ସ୍ମୃତି ଭବନ ସମ୍ମୁଖରେ ରଥଯାତ୍ରାରୁ ବାହୁଡା ପର୍ଯ୍ୟନ୍ତ ନଅ ଦିନ ଧରି ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ରୂପ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶନ କରିବା ସହ ଜଗନ୍ନାଥଙ୍କୁ କଳା ନୈବେଦ୍ୟ ଅର୍ପଣ କରିବା ଆରମ୍ଭ କରିଥିଲେ।
ପରବର୍ତ୍ତୀ ସମୟରେ ବହୁ ବାଲୁକାଶିଳ୍ପୀ ଏହାଦ୍ବାରା ପ୍ରଭାବିତ ହୋଇ ନିଜ ନିଜ ସ୍ଥାନରେ ପାରମ୍ପରିକ ଭାବରେ ଏପରି ନୂତନ ପରମ୍ପରାକୁ ଚଳାଇ ଆସୁଛନ୍ତି। ଟୁନା ବେହେରା, ଅରୁଣ ବାରିକ, ସରିତା ସିଂ, ଅଜୟ ଘୋଷ, ଅଙ୍କିତ ଦାସ ପ୍ରମୁଖ ଏହି ଧାରାକୁ ଆଜି ବି ବଜାୟ ରଖିଥିବାରୁ ବାଲେଶ୍ଵରର ବରିଷ୍ଠ ଶିଳ୍ପୀ ତଥା ବାଲେଶ୍ଵରରେ ଏ ପରମ୍ପରାର ଉଦଗାତା କେଶୁଦାସ ଅଙ୍କିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।