ଜଟଣୀ – ସାରା ଭାରତ ବର୍ଷରେ ସ୍ୱଚ୍ଛତା ଆଣିବା ପାଇଁ ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦୀର୍ଘ ୫ ବର୍ଷ ପାଇଁ ଏକ ଦୀର୍ଘମୂଳ କାର୍ଯ୍ୟକ୍ରମ ସ୍ୱଚ୍ଛଭାରତ ମିଶନ ଆରମ୍ଭ କରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରଚଳନ କରିଥିଲେ । ଆସନ୍ତା ଅକ୍ଟୋବର ୨ତାରିଖକୁ ଏହି ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମକୁ ୫ବର୍ଷ ପୂରଣ ହେଉଛି । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତା ଉପରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ କାମ ଆରମ୍ଭ କରିଥିଲେ । କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗ ଦ୍ୱାରା ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ ମଧ୍ୟ କରିଥିଲେ । ଯୋଜନା ମୁତାବକ ଗ୍ରାମାଂଚଳ ଓ ସହରାଂଚଳରେ ତାହା ଅଳ୍ପ ବହୁତ କାର୍ଯ୍ୟକାରି ହୋଇଛି କିନ୍ତୁ ୫ ବର୍ଷ ମଧ୍ୟରେ ଯେଉଁଭଳି କାର୍ଯ୍ୟ ହେବା କଥା ତାହା ହୋଇପାରିନାହିଁ । ଲୋକମାନଙ୍କୁ ସଚେତନ କରିବା ପାଇଁ ସ୍ୱଚ୍ଛସାଥିଠାରୁ ଆରମ୍ଭ କରି ଆବର୍ଜନାକୁ ପୃଥକୀକରଣ କରି ମ୍ୟୁନିିସିପାଲିଟି ଦ୍ୱାରା ସଂଗ୍ରହ କରାଯାଉଛି । ମାତ୍ର, କର୍ମଚାରୀମାନଙ୍କ ଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଇଚ୍ଛାଶକ୍ତିର ଅଭାବରୁ ସହରମାନଙ୍କରେ ଥିବା ଗଳି କନ୍ଦିରେ ଥିବା ନାଳ ନର୍ଦ୍ଦମା ଓ ସାହି ଆବର୍ଜ୍ଜନା ଗଦା ହୋଇ ଦୀର୍ଘଦିନ ପଡ଼ି ଦୃର୍ଗନ୍ଧ ହେଉଥିଲେ ମଧ୍ୟ ଏଥିପ୍ରତି କାହାର ନଜର ରହୁନାହିଁ । ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଳି କନ୍ଦିରେ ପଡ଼ିଥିବା ଆବର୍ଜନା ଗୁଡିକ ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ମଶା, ମାଛିଙ୍କ ପାଦୃଭାବ ବଢିଯାଇଛି ।
ଜଟଣୀ ମ୍ୟୁନିସିପାଲିଟିର ୨୩ଟି ୱାର୍ଡ଼ ରହିଛି । ରେଳବାଇ ଅଂଚଳର ୬ ଟି ୱାର୍ଡକୁ ବାଦ୍ ଦେଲେ ଅନ୍ୟ ୧୭ଟି ୱାର୍ଡ଼ରେ ପୌର ପରିଷଦ କାର୍ଯ୍ୟକରୁଛି । ବିଶେଷ କରି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ କାର୍ଯ୍ୟକ୍ରମମାନ ପ୍ରଣୟନ କରି ସ୍ୱଚ୍ଛସାଥୀ ମଧ୍ୟ ନିୟୋଜିତ କରିଛି । ଏ ଦିଗରେ ନଗର ଉନ୍ନୟନ ପକ୍ଷରୁ ବହୁ ଅର୍ଥ ବ୍ୟୟ କରାଯାଉଛି । ଆବର୍ଜନାକୁ ନଷ୍ଟ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ସଫେଇ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ଏ ଦିଗରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ, ସଠିକ୍ ଭାବରେ ନିୟମିତ କାର୍ଯ୍ୟ ହେଉନଥିବାରୁ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଗଦା ହେଉଛି । ସାହି, ବସ୍ତି, ଗଳିକନ୍ଦିମାନଙ୍କରୁ ସଫେଇ କର୍ମଚାରୀମାନେ ଆବର୍ଜନା ଆଣି ବିଭିନ୍ନ ରାସ୍ତା ପାଶ୍ୱର୍ରେ ଗଦା କରିବା ଦ୍ୱାରା ନିକଟରେ ଥିବା ଦୋକାନ ବଜାର ଓ ଘରଗୁଡ଼ିକ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି । ଯାହା ଫଳରେ ଲୋକମାନେ ବିଭିନ୍ନ ଦୂରାରୋଗ୍ୟରେ ଆକ୍ରାନ୍ତ ହେଉଛନ୍ତି । ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟକର ପରିବେଶରେ ଲୋକଙ୍କୁ ରଖିବା ପରିବର୍ତେ ଅସ୍ୱାସ୍ଥ୍ୟକର ପରିବେଶରେ ରଖିବା ଭଳି ସମସ୍ୟା ସୃଷ୍ଟି କରୁଛି । ଜଟଣୀ ମ୍ୟୁନିସିପାଲିଟିରେ ଦୁଇଟି ମଶାମରା ଟ୍ରିଫା ମେସିନ୍ ଖତ ଖାଉଛି । ମଶା ବଂଶ ଲୋପ କରିବା ପାଇଁ ଆବର୍ଜନା ସ୍ଥାନ ଓ ନାଳନର୍ଦ୍ଦମାରେ ମଶାମରା ତେଲ ପଡ଼ୁନାହିଁ । ଏହି ପରିପେକ୍ଷୀରେ ଜଟଣୀ ମ୍ୟୁନିସିପାଲିଟି ସଫେଇ କାର୍ଯ୍ୟ ଚଳାଇଛି । ଆଉମାତ୍ର ହାତଗଣତି କେତେ ଦିନ ପରେ ସ୍ୱଚ୍ଛଭାରତ ମିଶନ କାର୍ଯ୍ୟକ୍ରମର ୫ ବର୍ଷ ପୂର୍ତି କେନ୍ଦ୍ର ଓ ରାଜ୍ୟସରକାର ପାଳନ କରିବ । ଏହି ପରିପେକ୍ଷୀରେ ଚାଲିଛି ସ୍ୱଚ୍ଛତା କର୍ଯ୍ୟକ୍ରମ ତେଣୁ ଜଟଣୀ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତ୍ୟେକ ୱାର୍ଡ଼ ବୁଲି ସଫେଇ କାର୍ଯ୍ୟକ୍ରମକୁ ତଦାରଖ କରି ପଦକ୍ଷେପ ନେଇ ଏଥିରେ କିଛି ପରିବର୍ତନ ଘଟାଇବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହି କାର୍ଯ୍ୟକୁ ସଠିକ୍ ଭାବେ ସମାପନା କିମ୍ବା ଏହା ଉପରେ ଯଦି କିଛି ଗୁରୁତ୍ୱ ନଦିଆଯାଏ ତେବେ ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ୨୨ ନମ୍ବର ୱାର୍ଡ଼ର ସମାଜସେବୀ ବିଭୁତିଭୂଷଣ ମିଶ୍ର ଓ ନଳିନୀ ମହାରଥିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଜିଲ୍ଲାପାଳ ଓ ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଅବଗତ କରାଇବେ ବୋଲି ସୂଚନା ମିଳିଛି ।
Related Stories
November 25, 2024