-
ଦୁଇ ଏସ୍ପିଙ୍କୁ ଚିଠି ଲେଖି ଜିଲ୍ଲାପାଳ କଲେ ଅବଗତ
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏହି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଆଖି ଦୃଶିଆ । ସେଥି ପାଇଁ ଗଞ୍ଜାମ ଜିଲ୍ଲାକୁ କରୋନା ହଟ୍ସ୍ପଟ ଭାବେ ଚିହ୍ନଟ କରାଯାଇଛି । କେଉଁଠି ନା କେଉଁଠି ବର୍ଦ୍ଧିତ ସଂକ୍ରମଣ ପାଇଁ ପୁଲିସର ଉଦାସୀନ ମନୋଭାବ ଓ ଦୁର୍ବଳ ତଦାରଖକୁ ଦାୟୀ କରାଯାଇଥିବା ଜିଲ୍ଲାପାଳଙ୍କ ଚିଠିରୁ ଆବାସ ମିଳିଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୪୧/୭୬ ତା: ୨୮.୬.୨୦ରେ ଦୁଇ ଏସ୍ପିଙ୍କୁ ଚିଠି କରି ଲକ୍ଡ଼ାଉନ ସମୟରେ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଚିଠି କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ପୁଲିସ ବିଭାଗର ଏହି ଅବହେଳିତ ଦିଗକୁ ହିଁ ଏହି ଚିଠି ଇଙ୍ଗୀତ କରୁଛି । ଜିଲ୍ଲାରେ ବେଆଇନ ଭାବେ ସାମାଜିକ, ରାଜନୈତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଉଛି । ଲୋଚା ଚୋରାରେ ହେଉଥିବା ଏହି କାର୍ଯ୍ୟକ୍ରମ ଗୁଡ଼ିକର ଟେର ପାଉନି କିମ୍ବା ମୌଖିକ ଅନୁମୋତି ଦେଇ ନିଜକୁ ଦୂରେଇ ରଖୁଛି । ହେଲେ ଏବେ ଜିଲ୍ଲାରେ ଦେଖା ଦେଉଥିବା ନୂତନ କରୋନା ପଜିଟିଭ ମାମଲା ଉକ୍ତ ବେଆଇନ ଏକତ୍ରିକରଣ ସହ ସଂଶ୍ଳିଷ୍ଟ ବୋଲି ଜିଲ୍ଲାପାଳ ନିଜ ଚିଠିରେ ଦର୍ଶାଇଛନ୍ତି । ଯାହା ଜିଲ୍ଲାରେ କରୋନା ମୁକାବିଲା ବେଳେ ପ୍ରଥମ ଥର ପୁଲିସର ଛବିକୁ ମିଳିନ କରିଛି ।
ଯେଉଁ ପୁଲିସ କର୍ମଚାରୀ, ଅଧିକାରୀମାନେ ଫିଲ୍ଡ଼ରେ କାମ କରୁଛନ୍ତି ଅମାନିଆଙ୍କ ଉପରେ ତିକ୍ଷଣ ଦୃଷ୍ଟି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ବିଶେଷ କରି ନିଜ ନିଜ ଅଞ୍ଚଳରେ ଅମାନିଆଙ୍କ କାର୍ଯ୍ୟକଳାପ ଦେଖିଲେ ନିଜ ନିଜ ଅଞ୍ଚଳରେ ଅମାନିଆଙ୍କ କାର୍ଯ୍ୟକଳାପ ଦେଖିଲେ ସମ୍ପୃକ୍ତ ଥାନା ଅଧିକାରୀମାନେ ନିଜ ଆଡ଼ୁ ମାମଲା ରୁଜୁ କରନ୍ତୁ । ଏପରି ସ୍ଥଳେ ତହସିଲଦାର ଓ ମାଜିଷ୍ଟ୍ରେଟ୍ ଦାୟତ୍ୱରେ ଥିବା ଅଧିକାରୀଙ୍କଠାରୁ ସୂଚନା ପାଇ ବା ସୂଚନା ଦେଇ ସେମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏହା ସହ ଏହିସବୁ ଘଟଣାକୁ ଗଣମାଧ୍ୟମଙ୍କୁ ସୂଚନା ଦେଇ ପ୍ରଚାର ପ୍ରସାର କରି ପାରିବେ । ଯାହା ଦ୍ୱାରା ଅମାନିଆ ସାବାଡ଼ ହେବା ସହ ଅନ୍ୟମାନେ ସଚେତନ ହେବେ ବୋଲି ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି । ସୂଚନା ଥାଉ କି ଜିଲ୍ଲା ତଥା ବ୍ରହ୍ମପୁର ଅଞ୍ଚଳରେ କିଛି ଅମାନିଆ କ୍ରିକେଟ ଖେଳ ଖେଳୁଛନ୍ତି । ଏହାର ଉଦାହରଣ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡ଼ିଆରେ ୩୦ରୁ ଉର୍ଦ୍ଧ୍ୱ ଯୁବଗୋଷ୍ଠୀ କ୍ରିକେଟ ମ୍ୟାଚ୍ ଖେଳୁଥିବା ଖବର ପାଇ ତହସିଲଦାର ଚଢ଼ାଉ କରିଥିଲେ । ସମସ୍ତେ ମିଳିମିଶି କରୋନାକୁ ମୁକାବିଲା କଲେ ଜିଲ୍ଲାରେ କରୋନାର ଉଦ୍ବେଗ ସ୍ଥିତି ସୁଧାର ଆସିପାରିବ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।