-
ଗତ ୧୨ଦିନରେ ୬୭୦ ପଜିଟିଭ, ୫ ମୃତ୍ୟୁ
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ କରୋନା କରାଳ ରୂପ ଦେଖାଇଛି । ଗତ ୨ମାସ ମଧ୍ୟରେ କରୋନାର ସ୍ଥିତି ଜିଲ୍ଲାରେ ଅସମ୍ଭାଳ ହୋଇପଡ଼ିଛି । ସୋମବାର ପୁଣି ୨ଜଣଙ୍କ ଜୀବନ ନେଇଛି କରୋନା । ଜଣେ ୪୮ ବର୍ଷ ବୟସ୍କ ଓ ଜଣେ ୫୨ ବର୍ଷୀୟ ରହିଥିବା ଜଣାଯାଇଛି । ଅନ୍ୟ ପକ୍ଷରେ କରୋନା ପଜିଟିଭ ସବୁ ରେକର୍ଡ଼କୁ ଭାଙ୍ଗି ସବୁଦିନ ତୁଳନାରେ ଜିଲ୍ଲାରେ ଆଜି ରେକର୍ଡ଼ ସଂଖ୍ୟକ ୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ପଜିଟିଭ ମାନେ ଜିଲ୍ଲାର କେଉଁ କେଉଁ ଅଞ୍ଚଳର ରିପୋର୍ଟ ଲେଖାଗଲା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିନାହିଁ । ସେପଟେ ୬୦ଜଣ କରୋନୀ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କରୋନାକୁ ନେଇ ଜିଲ୍ଲାରେ ୪ମାସ ହେଲା ସରକାରୀ କଟକଣା ଲାଗି ରହିଛି । ଜନସାଧାରଣଙ୍କ ଜୀବନ ଜୀବିକା ମଧ୍ୟ ବିପନ୍ନ ହେବାକୁ ବସିଲାଣି । ଅନ୍ୟ ପଟରେ କରୋନା ଗୋଟିଏ ପରେ ଗୋଟିଏ ଇଲାକାକୁ ସଂକ୍ରମିତ ହେବାକୁ ଲାଗିଛି । ମେ ୨ରେ ଜିଲ୍ଲାରେ ପ୍ରଥମେ ୨ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରଠାରୁ କ୍ରମାଗତ ଭାବେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଗତ ୧୨ଦିନ ମଧ୍ୟରେ ଜିଲ୍ଲାର ସ୍ଥିତି ଉଦ୍ବେଗ ଜନକ ରହିଛି । ଗତ ୧୨ଦିନ ହେଲା ହାରାହାରି ପ୍ରତ୍ୟହ ୫୦ରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ୧୨ଦିନ ମଧ୍ୟରେ ପାଖାପାଖି ୬୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସରକାରୀ ସ୍ତରରେ ୫ଜଣଙ୍କ ଜୀବନ ଗଲାଣି । ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଜିଲ୍ଲାରେ କବିସୂର୍ଯ୍ୟନଗର ସବୁଠାରୁ ସଙ୍ଗୀନ ସ୍ଥିତିରେ ରହିଛି । ଉକ୍ତ ବ୍ଳକ ଓ ଏନ୍ଏସି ଇଲାକାରେ ଏହି କିଛି ଦିନ ମଧ୍ୟରେ ୧୨୦ରୁ ଉର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହେଲାଣି ଓ ଏକାଧିକ ମୃତ୍ୟୁ ହେଲାଣି । ସେହିପରି ଖଲ୍ଲିକୋଟ, ପୋଲସରା, ଛତ୍ରପୁର,ପୁରୁଷୋତ୍ତମପୁର, ସାନଖେମୁଣ୍ଡି ଆଦି ବ୍ଳକରେ ସ୍ଥିତି ମଧ୍ୟ ସଙ୍ଗୀନ ହେବାରେ ଲାଗିଛି । ଏହି ସଂକ୍ରମଣରୁ କରୋନାକୁ ମୁକାବିଲା କରୁଥିବା କରୋନା ଯୋଦ୍ଧା ମଧ୍ୟ ବାଦ୍ ପଡ଼ିନାହାନ୍ତି । ଇତି ମଧ୍ୟରେ ୧୯୦ରୁ ଉର୍ଦ୍ଧ୍ୱ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହେଲେଣି । ଏଥି ମଧ୍ୟରୁ ଅର୍ଦ୍ଧ୍ୱାଧିକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ଜିଲ୍ଲାର ବିଭିନ୍ନ କୋଭିଡ଼ ହସ୍ପିଟାଲ ଓ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । କରୋନା ଯୋଦ୍ଧା ଆକ୍ରାନ୍ତ ହେବା ପରେ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଅଫିସ ବନ୍ଦ ହେବାକୁ ବସିଛି । ରଙ୍ଗେଇଲୁଣ୍ଡା ବ୍ଳକ, ତହସିଲ, ସବ୍ରେଜିଷ୍ଟାର ଅଫିସ, ବ୍ରହ୍ମପୁର ସଦରଥାନା ବନ୍ଦ ହୋଇଛି । ଛତ୍ରପୁର ଏସ୍ଡ଼ିପିଓ ଓ ଇନିସ୍ପେକ୍ଟର, ସଦର ଥାନା ସବ୍ଇନସିପେକ୍ଟର, ରଙ୍ଗେଇଲୁଣ୍ଡା ବ୍ଳକ, ବିଡ଼ିଓ, ତହସିଲଦାର, କୁକୁଡ଼ାଖଣ୍ଡି ବିଡ଼ିଓ, ଯୋଗାଣ ଅଧିକାରୀ, ସାନଖେମୁଣ୍ଡି ତହସିଲଦାର, ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଆଦି ଆକ୍ରାନ୍ତ ହେଲେଣି । ଏସବୁକୁ ଦେଖିଲେ ଦିନକୁ ଦିନ ଜିଲ୍ଲାର ସ୍ଥିତି ଗମ୍ଭୀର ହେବାକୁ ଯାଉଛି ।ଏହାର ପ୍ରତିରୋଧ ପାଇଁ ଜିଲ୍ଲା ପ୍ରଶାସନ ତ୍ରିପଲ ଟି କୁ ଗୁରୁତ୍ୱ ଦେଇଛି । ଟେଷ୍ଟ, ଟ୍ରିଟ୍ମେଣ୍ଟ ଓ ଟ୍ରେସିଂକୁ ଗୁରୁତ୍ୱ ଦେବା ସହ ଥ୍ରିଏସ୍କୁ ମଧ୍ୟ ଗୁରୁତ୍ୱ ଦେଇଛି । ଅନ୍ୟ ପକ୍ଷରେ ଗୋଷ୍ଠୀ ସଂକ୍ରାମଣକୁ ଦୃଷ୍ଟିରେ ରଖି ୧୫ଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ଲୋକଙ୍କୁ ସହରକୁ ଆସିବା ପାଇଁ ମନା କରାଯାଇଛି । ଏଥି ସହ ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ନିଷେଧାଞ୍ଚଳ ଘୋଷଣା କରାଯାଉଛି । ପ୍ରଶାସନର ଏଭଳି ପଦକ୍ଷେପ ସତ୍ତ୍ୱେ କିଛି ଅମାନିଆଙ୍କ ପାଇଁ ଜିଲ୍ଲାର ସ୍ଥିତି ବିଗିଡ଼ିବାରେ ଲାଗିଛି ।